ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେସିଙ୍ଗା ରେଞ୍ଜ ରୁପ୍ରାରୋଡ ସେକ୍ସନ ଅନ୍ତର୍ଗତ ଟାଙ୍ଗିରି ପାହାଡ଼ରେ ତିନିଗୋଟି ହାତୀ ଆସି ଆତଙ୍କ ସୃଷ୍ଟି କରିଛନ୍ତି। ଖବର ପାଇ ରୁପ୍ରାରୋଡ ଫରେଷ୍ଟର ବିଶ୍ଵଜିତ ଠାକୁର, କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେର, ଫରେଷ୍ଟର ଶ୍ରୀମୁଖ ମେହେର, ଫରେଷ୍ଟ ଗାର୍ଡ ତପନ ବେହେରା ସହ ଫରେଷ୍ଟ କର୍ମଚାରୀ ସମୂହ ହାତୀ ଘୋଡାଇବାକୁ ଚେଷ୍ଟା କରିଥିଲେ। ଫଳରେ ଦୁଇ ଦିନ ଧରି ରୁପ୍ରା, ଗୁଡିପଟା , ଲାଖପଦର ଅଞ୍ଚଳରେ ରହି ଆସିଥିବା ତିନି ଗୋଟି ହାତୀ ଭୀମକେଲା ଗ୍ରାମପଞ୍ଚାୟତର ବୁର୍ଡିପଡା ଦେଇ ଚାଲିଯାଉଥିବା ବେଳେ ବୁର୍ଡିପଡା ଗ୍ରାମର ହୃଷିକେଶ ସା ହାତୀ ହାବୁଡରେ ପଡି ତାଙ୍କ ହାତରେ ଆଘାତ ଲାଗିଥିବା ଯୋଗୁଁ ପ୍ରଥମେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେହିପରି କେରାଣ୍ଡିଖୁଣ୍ଟି ଗ୍ରାମର ଦୀପନ ଗଉଡ ନାମକ ମହିଳା ମଧ୍ୟ ହାତୀ ଆକ୍ରମଣରେ ଆହତ ହୋଇ ନର୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ହାତୀଙ୍କ ଆଗମନ ଫଳରେ ଦୁଇ ଦିନ ଧରି ରୁପ୍ରା,ଭୀମକେଲା,ପଲସାପଡା ଅଞ୍ଚଳରେ ରାତ୍ରୀରେ ବିଦ୍ୟୁତ ସରବରାହ ବନ୍ଦ କରାଯାଇଥିଲା। ଫଳରେ ଜନସାଧାରଣ ହନ୍ତସନ୍ତ ହୋଇଛନ୍ତି।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।