Uncategorizedସୁଧୀର ପଣ୍ଡା ଙ୍କ କବିତା ଆଜିର ତଅପୋଇ ପାଇଁ ଦିପଦ by Sunil Chandra NayakAugust 26, 2022069 Share0 ଆଜିର ତଅପୋଇ ପାଇଁ ଦିପଦ ସୁଧୀର ପଣ୍ଡା କି ଦୁର୍ଦ୍ଦିନେ ଜନ୍ମ ହେଲୁ ଲୋ ଭୋଗୁ ସଦା କଷଣ ସାଧବ ବଂଶର ନାମରେ କିଏ ଦେବ ସମ୍ମାନ ।୧ ତାତମାତ ସ୍ବର୍ଗ ଗମିଲେ ତେଜି ବାଳୁତ କାଳେ ବୋହୁଙ୍କ ଗହଣେ ରହିଲୁ ଦିନ କାଟି ବିକଳେ।୨ ଭାଇ ମାନେ ତୋର ଆଜି ବି ଗମିଛନ୍ତି ବିଦେଶ ଧନରତ୍ନ ଘେନି ଆସିବେ କରିବୁନି ତୁ ଆଶ।୩ ବଣିଜ ନୁହଇ ଏହା ଲୋ ଖଟୁଛନ୍ତି ଦାଦନ ମଜୁରୀ ମାଗିଲେ ମୁନୀବ ହସ୍ତ କରେ ଛେଦନ।୪ ଛିନ୍ନହସ୍ତ ଭବି ସାଧବେ ଲୋଟି ଆସନ୍ତି ଦେଶେ ଚୀର ଦୁଃଖଭରା ସଂସାର ବର୍ଣ୍ଣିବି କି ସାହସେ।୫ ହସ୍ତହରା ଦୁଃଖି ସାଧବ କାନ୍ଦେ ମୁଣ୍ଡ ନୁଆଇଁ ଏକା ଜଗନ୍ନାଥ ଭରଷା ଆଉ କେହି ତ ନାହିଁ ।୬ “ଏକ ହାତ ସିନା ହାରିଛୁ ଦେଖ ରୂପ ମୋହର ହସ୍ତପଦ ଦ୍ବୟ ନଥାଇ ଅଟେଁ ବଡ଼ ଠାକୁର।୭ ସହସ୍ର ବ୍ରାହ୍ମଣ ନିଯୁକ୍ତ ମୋର ସେବା ନିମନ୍ତେ ଶଙ୍କରଆଚାର୍ଯ୍ଯ ଠାକୁର ରାଜା ଥାଇ ମୋ ସାଥେ।୮ ସେବକ ମାଗଣା ପୂରଣ ଯଦି ହେଲେ ବିଳମ୍ବ ଭକତ ପ୍ରବେଶ ନିଷେଧ ସାକ୍ଷୀ ଅରୁଣ ସ୍ତମ୍ଭ ।୯ ଅନଶନେ ବସି ପଡ଼ିବେ ଭରି ମହା ଉଦରେ ଅନ୍ନ ରନ୍ଧାହେବ ବହୁତ ରଖି ଦେବେ ଭୋକରେ।୧୦ ନୀଳାଚଳ ନାଥ ହୋଇ ମୁ ପାଏଁ ଏହି ଅବସ୍ଥା ଠାକୁର ବେଭାର ଦିନକୁଦିନ ହେଲାଣି ଶସ୍ତା।୧୧ କି ସାହାଯ୍ଯ କରିପାରିବି ଧନମାଳୀ ମୋହର ଉପାର୍ଜନକ୍ଷମ ନହେଲେ କିଏ ଅଟେ କାହାର।”୧୨ ନୀଳାଚଳନାଥ ମୂଖରୁ ଶୁଣି ଅମର ବାଣୀ ଅଭାଗା ସାଧବେ ଭାଷିବେ କାହା ପାଖେ କାହାଣୀ। ୧୩ ଆଉ କେତେ ଭାଇ ତୋହର ଘର ଛାଡି ବିଦେଶେ ପରିବାର ଗଢ଼ି ରହିଲେ ସେଠି ମହା ହରଷେ।୧୪ ଭାଇର ଅବସ୍ଥା ଯେମିତି ଭାଇ ଜାଣଇ ନିଜେ ଭାଉଜ ନଆସେ ଗାଆଁକୁ ରହେ ସେଠି ମଉଜେ।୧୫ ସିନ୍ଦୁକ ପରାୟେ ପ୍ରକୋଷ୍ଠ ହେବ ଅଣ ନିଶ୍ବାସି ସହରୀ ସଭ୍ଯତା ସଭିଙ୍କୁ ପୂର୍ଣ୍ଣ ମାତ୍ରାରେ ଗ୍ରାସି।୧୬ ସରିଅଛି ତଅପୋଇ ଲୋ ତୋତେ ପୁଛିବ କିଏ ଅପେକ୍ଷା କରିବେ ଭାଉଜେ ଦୋଳି ଝୁଲିବା ଯାଏ?୧୭ ତାତମାତ ଦେଖି ତୋ ଦୁଃଖ ଥାଇ ସରଗ ପୁରୁଁ ଭାବୁଥିବେ କିସ ମନରେ ଆହା ଭଗ୍ନ ହୃଦରୁ।୧୮ ପରିଣୟ ସୂତ୍ରେ ଆବଦ୍ଧ ଠାରୁ ହେଲେ ବଂଚିତ ବାଡୁଅ ଭାଷିବେ ସଜ୍ଜନେ ଯାହା ନୁହେଁ ଉଚ୍ଚିତ।୧୯ ବାଲି ଯାତରାରେ ଦେଖିଲି ନାହିଁ ତୋହର ସ୍ଥାନ। ଧନାଢ଼୍ଯ ଜନତା କାହିଁକି ତୋର ତୋଷିବେ ମନ।୨୦