ନୂଆଖାଇ
ସ୍ନେହ ମିଶ୍ର
ପଶ୍ଚିମ ଓଡିଶା ହସୁଚି ସଜନୀ
ଖୁସୀରେ ନାଚି ଗାଉଚି
ଇଷ୍ଟଦେବୀ ତା’ର ମାଆ ସମଲେଇ
ଆଶୀଷ ବାରି ଢାଳୁଚି ||୧||
କୃଷିପରବର ଦେଶ ମୋ ପ୍ରଦେଶ
ହାଣ୍ଡିଶାଳ ଓଡିଶାର
ଅନ୍ନପୂର୍ଣ୍ଣା ସ୍ଵୟଂ ବିଜେ ହୋଇଛନ୍ତି
ଗୁମର ଚାଷୀଭାଇର ||୨||
ମାାଆର ସ୍ଵାଗତେ ଲିପାପୋଛା କରି
ସଜବାଜ ଘରଦ୍ଵାର
ନୂଆ ବେଶଭୂଷା କ୍ଷିରୀପିଠାପଣା
ସୁବାସିତ ମହକର ||୩||
ଛୋଟଙ୍କ ଆଦର ବଡଙ୍କ ଆଶୀଷ
ନୂଆଖାଇର ଜୁହାର
ଦେଶବିଦେଶରେ ଚହଳ ପକାଏ
ପ୍ରତୀକ ସେ ଏକତାର ||୪||
ଘରେ ଘରେ ଛୁଟେ ଆନନ୍ଦ ଲହରୀ
ଢୋଲ ମୃଦଙ୍ଗର ତାଳ
ଭୋଜିଭାତ କରି ପୁରପଲ୍ଲୀ ହସେ
ମୁଖରିତ କୋଳାହଳ ||୫||
ଭାଇଚାରାପ୍ରୀତି ଶିଖାଏ ସେ ନୀତି
ବାସ୍ନା ଗଣପରବର
କୁରେଇ ପତରେ ଔଷଧୀୟ ଗୁଣ
ରୋଗ କରିଦିଏ ଦୂର ||୬||
ବରଷକେ ଥରେ ଆସିଛି ପରବ
ବରଷର ନୂଆ ଧାନ
ନୂଆଖାଇ ଦିନ ନୂଆ ଉନ୍ମାଦନା
ଜୁହାରରେ ସମର୍ପଣ ||୭||
ନୂଆଖାଇ ଜୁହାର