ଡାବୁଗାଁ, 4/9 – ଶାଳପତ୍ର ଚଖନୀ ଦେହରେ ଦୁଇ ଚାରିଟା ବରା ଆଉ ଗରମ ଗରମ ଘୁଗୁନି l ଶାଳ ପତ୍ର ର ମହ ମହ ବାସ୍ନା ଆଉ ସେଥିରେ ଖାଇବା ସ୍ୱାଦ ଆଉ ସହର ବଜାର ରେ ଦେଖିବାକୁ ମିଳୁନି l ଶାଳ କି ଶିଆଳିଖଲି ଖଣ୍ଡେ କୌଣସି ବଡ଼ ବଡ଼ ହୋଟେଲ ତ ଦୂର କଥା ଛୋଟ ହୋଟେଲ ରେ ମଧ୍ୟ ଦେଖାଯାଉନି ନାମିଦାମି ବାସନ ଉପରେ ଜରି ପକାଇ ଖାଦ୍ୟ ପରସୁଛନ୍ତି ବ୍ୟବସାୟୀ l ଫଳରେ ବଣ ଜଙ୍ଗଲ ଘେରା ଅଞ୍ଚଳ ରେ ବସ ବାସ କରୁଥିବା ଆଦିବାସୀ ଙ୍କ ପେସା ରେ ଏକ ସଙ୍କଟ ଜନକ ପରିସ୍ଥିତି ସୃଷ୍ଟି ହେଇଛି l ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ସେମାନଙ୍କ ଜୀବନ ଜୀବିକାର ଏକ ମୁଖ୍ୟ ସାଧନ l ବଣ ମୁଲକ ରୁ ବିଭିନ୍ନ ଋତୁ ରେ ମିଳୁଥିବା ଫଳ, ଫୁଲ, ଓ ପତ୍ର, ସଂଗ୍ରହ କରି ଆଦିବାସୀ ମାନେ ପରିବାର ପ୍ରତିପୋଷଣ କରିଥାନ୍ତି l ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ରୁ ଡାବୁଗାଁ ସଦର ସମେତ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଶତାଧିକ ଆଦିବାସୀ ସମ୍ପ୍ରଦାୟ ର ପରିବାରର ଲୋକେ ପୁରୁଷନୁକ୍ରମେ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି l ଶାଳ ଓ ଶିଆଳି ପତ୍ର ସହିତ ଶୁଖିଲା ବାଉଁଶ କାଠି ସାହାଯ୍ୟ ରେ ବିଭିନ୍ନ ଆକୃତି ର ଖାଲିପତ୍ର ଠୁଙ୍ଗା, ଦନା, ବଡ ଠୁଙ୍ଗା,ଓ ଚଖନୀ,ପ୍ରସ୍ତୁତ କରି ନିକଟସ୍ଥ ହାଟ ବଜାର ରେ ବିକ୍ରି କରିଥାନ୍ତି l ଏହି ପତ୍ର ରେ ପ୍ରସ୍ତୁତ ସାମଗ୍ରୀ ରେ ଖାଦ୍ୟ ଖାଇଲେ ତାହା ଅଧିକ ସ୍ୱାଦିଷ୍ଟ ଲାଗିଥାଏ ବୋଲି ଲୋକେ କହିଥାନ୍ତି l ବର୍ତମାନ ଆଧୁନିକ ଯୁଗରେ ମେସିନ ଦ୍ୱାରା ସୋଲ କାଗଜ ଓ ପତ୍ର ରେ ପ୍ରସ୍ତୁତ ଆକର୍ଷଣୀୟ ଖଲି ଓ ଠୁଙ୍ଗା ବଜାର ରେ ବିକ୍ରି ହେଉଥିବାରୁ ଏହି ଗରିବ ଆଦିବାସୀଙ୍କ ପାରମ୍ପରିକ ବୃତ୍ତି ସଙ୍କଟ ରେ ପଡିଛି l ପରିଶ୍ରମ ତୁଳନାରେ ଖଲି ପତ୍ର ପ୍ରସ୍ତୁତିରୁ ଉଚିତ ମୂଲ୍ୟ ମିଳୁ ନ ଥିବାରୁ ସେମାନେ ଆଜି ଅସହାୟ ହୋଇପଡିଛନ୍ତି l କେତେକ ଗରିବ ଆଦିବାସୀ ପରିବାରଙ୍କ ପାଖରେ କିଛି ବିକଳ୍ପ ନ ଥିବାରୁ ଏହି ଉଜୁଡା ବୃତ୍ତି କୁ ମଧ୍ୟ ଛାଡି ପାରୁନାହାନ୍ତି l ଏବେବି ଗ୍ରାମାଞ୍ଚଳ ରେ ଅନେକ ପରିବାର ମହିଳା ମାନେ ଜଙ୍ଗଲ କୁ ଯାଇ ସେମାନଙ୍କୁ ଦାନା ଯୋଗାଉଥିବା ଶାଳ ଶିଆଳ ପତ୍ର ସଂଗ୍ରହ ରେ ଲାଗି ପଡନ୍ତି l ସରୁ ବାଉଁଶ କାଠି ସାହାଯ୍ୟରେ ଖଲି, ଦନା ତିଆରି କରିବାର କଳା ସେମାନେ ତାଙ୍କ ପୂର୍ବଜ ମାନଙ୍କ ଠାରୁ ଶିଖିଛନ୍ତି l ମହିଳା ମାନେ ଘରେ ବସି ଖଲି ଦନା ତିଆରି କଲେ ପୁରୁଷ ମାନେ ବଜାର ରେ ନେଇ ବିକ୍ରି କରନ୍ତି ଓ ଘର ପାଇଁ ତେଲ ଲୁଣ ଆଦି ସାମଗ୍ରୀ କିଣି ଆଣିଥାନ୍ତି l ଖଲିଦନା ତିଆରି କରୁଥିବା ପରିବାର ର ସଦସ୍ୟମାନେ କୁହନ୍ତି ଖଲି ଦନା, ଠୁଙ୍ଗୀ ତିଆରି କରି ବର୍ଷ ର ଅର୍ଦ୍ଧାଧିକ ଦିନ ପରିବାର ଚଳାଉ ଥାଉ, ହେଲେ ଆଜିକାଲି ବଜାର ରେ ସୋଲ ଓ କାଗଜ ର ଖଲି ଦନା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଥିବାରୁ ଆମ ର କୌଳିକ ବୃତ୍ତି ବୁଡିବାକୁ ବସିଲାଣି ଏବେବି ଗ୍ରାମାଞ୍ଚଳରେ ଲୋକେ ଏହି ଶାଳ ଓ ଶିଆଳି ପତ୍ର ରେ ତିଆରି ଖଲି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ଶାଳ ଶିଆଳ ପତ୍ର ରୁ ଖଲି ଦନା ଠୁଙ୍ଗୀ ପ୍ରସ୍ତୁତ କରିବା ପାଇଁ ସରକାର ଉପଯୁକ୍ତ ପ୍ରୋତ୍ସାହନ ସହ ସେମାନଙ୍କୁ ପ୍ରଶିକ୍ଷଣ ଦେଇ ମେସିନ ଯୋଗାଇ ଦେଲେ ସେମାନେ ଏହି ପୁରୁଣା ପାରମ୍ପରିକ ବୃତିକୁ ନୁଆଁ ଜୀବନ ଦେଇ ବଞ୍ଚାଇ ରଖି ପାରନ୍ତେ ବୋଲି ଅନେକ ଆଦିବାସୀ ପରିବାର ମତ ବ୍ୟକ୍ତ କରିଛନ୍ତି l ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ