ସ୍କନ୍ଦମାତା
ଶାରଦୀୟ ଶୁଭ୍ରରୁଚିର ଧରଣୀ
ପିନ୍ଧି ଧୋବ ପାଟଶାଢ଼ୀ
ନିନ୍ଦିତ କୁମୁଦ କହୁଛି ତଥାପି
ଦେଉଛି ଭକତି ବାଢି
ଟିପି ଟିପି ହୋଇ ଝରିପଡୁଅଛି
ଶିଶିର ରେ ତୁମବାର୍ତ୍ତା
ଅଭୟା କାମାକ୍ଷୀ କରସି ସୁଦୟା
ତୁମେ ଅଟ ହର୍ତାକର୍ତ୍ତା
ତୁମ ତେଜ କାନ୍ତି ହେଉ ପରକାଶ
ମହିଭାର ହେଉଦୁର
ଦୁର୍ଜୟ ଦାନବେ କରଟି ନିଧନ
ଏତିକି ଦିଅମା ବର
ପୁତ୍ରେ ସ୍ନେହ ଦେଇ ପାଳ ଏହି ମହି
କଲ୍ୟାଣି ତୁ ସ୍କନ୍ଦମାତା
କରୁଛି ମିନତୀ ତୋ ଖଞ୍ଜ ପୟରେ
ହେ ସଦାଶିବ ବନିତା
ଚତୁର୍ଭୁଜା ମହାମାୟା ମହାରାତ୍ରୀ
ପଞ୍ଚମ ଶକତି ଉମା
ସ୍କନ୍ଦମାତା ରୂପେ ତୁହି ପ୍ରକଟିତ
ପୁତ୍ର ପଣେ ପାଳୁ ଜମା
ଦକ୍ଷବାମ ଭୁଜେ ପଦ୍ମ ବିରାଜନ୍ତି
ଆନ ଦୁଇକରେ ପୁତ୍ର
ଧରି ସ୍ନେହ କରି ଜଗତେ ଦେଖାଇ
ତୋର ମାତୃ କୃପା ସୂତ୍ର
କେବେତୁହି ସହି ବସୁଦ୍ୟା ତୁଲରେ
ସର୍ବାଙ୍ଗସହା ବସୁମତୀ
ପାଳନ କରୁଚୁ ପୁତ୍ରପଣେ ତୁହି
ମାଗୋ ତୁହି ଶାନ୍ତି କ୍ଷ୍ୟାନ୍ତି
କେଶରୀ ପିଠିରେ ଉପବେଶନ ଗୋ
ଅଭୟ ମୁଦ୍ରାରେ ତୁହି
ଦେଖାଉ ଜଗତେ ମାତୃ ମମତାକୁ
ଲେଖି ସେହି ସୃଷ୍ଟି ବିହି
ପଦ ବନ୍ଦନା ମା କରୁଅଛି ଆଜ
ହେଲାଣି ଷଷ୍ଠୀ ସମୟ
ଉପଗତ ହେଇ ଦିଅ ସଦବୁଦ୍ଧି
ନଥିବଟି ଆଉ ଭୟ
ଘେନା କର ମାତ ଭକତି ପ୍ରଣତି
ଶୁଭ ଶାରଦୀୟ ରାତ୍ରୀ
ତୁମ ଜୈତ୍ରୀ ଉଡୁ ଥାଉଟି ଭବାନୀ
ହେ ପରମା ଜଗଧାତ୍ରୀ।।
ସିତାଂଶୁ ଜେନା
ସହ ସମ୍ପାଦକ
ଓଡ଼ିଆ ଭାଷା ସାହିତ୍ୟ ପରିଷଦ, ଓଡିଶା