ନିୟମିତ ହେବେ ୫୭ ହଜାରରୁ ଅଧିକ କର୍ମଚାରୀ
ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୩୦୦ କୋଟି ଟଙ୍କା
ଓଡିଶାରୁ ଶେଷ ହୋଇଛି ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା । ଏନେଇ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସହିତ ଏହି ବଡ ଘୋଷଣା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଫଳରେ ରାଜ୍ୟର ପ୍ରାୟ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ରାଜ୍ୟ ରାଜକୋଷରୁ ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ରହିଛି ।
ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାବାସୀଙ୍କ ଆଶୀର୍ବାଦରେ ସେ ୨୦୦୦ ମସିହାରେ ଓଡିଶା ମା’ର ସେବାର ସୁଯୋଗ ପାଇଥିଲେ । ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ସେତେବେଳେ ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା। ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ତେବେ ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା ।
ଏହି ସମୟରେ ରାଜକୋଷ ଖାଲି ଥିଲା। ଅର୍ଥନୀତି ଉପରେ ବହୁତ ଚାପ ଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ । ବନ୍ୟା ବାତ୍ୟା ମରୁଡି ଲାଗି ରହିଥିଲା ଗରିବୀ ମଧ୍ୟ ବହୁ ଅଧିକ ଥିଲା । ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
“ସେତେବେଳେ ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ଏହା ମୋ ପାଇଁ ବହୁତ କଷ୍ଟକର ଥିଲା। ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ। ଏହା ମୋତେ ବହୁତ ଦୁଃଖ ଦେଉଥିଲା । ପ୍ରତିଦିନ ମୋ ମନରେ ଚିନ୍ତା ଥିଲା, କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ ? ଆପଣମାନଙ୍କର ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦ ହିଁ ଆମର ସବୁଠାରୁ ବଡ ଶକ୍ତି । ଉତ୍ତମ ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା । ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ଗତ ବର୍ଷ ଆମେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତିକୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟି କରିଥିଲୁ”, ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏଥିସହିତ ଆଜିଠୁ ରାଜ୍ୟରେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ ସରକାରୀ କର୍ମଚାରୀମାନେ ସମସ୍ତେ ଭଲ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ନିଷ୍ଠାର ସହ ଲୋକଙ୍କ ସେବା କରିବାକୁ ନବୀନ ନିବେଦନ କରିଛନ୍ତି । ଦାୟିତ୍ବ ପାଳନ କରିବାବେଳେ, ୫-ଟି ଉପକ୍ରମ, ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପ୍ୟାରେନ୍ସି ଓ ଟ୍ରାନସଫରମେସନକୁ ଅନୁସରଣ କରନ୍ତୁ। ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ ଏବଂ ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖନ୍ତୁ ବୋଲି ନବୀନ କହିଛନ୍ତି ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..