Uncategorizedଲତା ବେହେରା ଙ୍କ କବିତା ଅତୀତ by Sunil Chandra NayakOctober 25, 2022079 Share0 ଅତୀତ ଲତା ବେହେରା ଅତୀତ କଥାକୁ ଭାବି ଦେଲେ ମନେ କେତେ ଦୃଶ୍ୟ ଭାସି ଆସେ ଅତୀତର ସେଇ ଗୋଟି ଗୋଟି କଥା ଆଖିର ଆଗରେ ଦିଶେ । କେତେ ମିଠା ସ୍ମୃତି କେତେ ସେ କାହାଣୀ ଯନ୍ତ୍ରଣା ଭରା ଜୀବନ କେତେ ଥଟ୍ଟା ମଜା କେତେ ହସ ଖୁସି କେତେ ନିନ୍ଦା ଅପମାନ । କେତେ ସ୍ନେହ ପ୍ରେମ କେତେ ଯେ ବିରହ କେତେ ସେ ମିଠା ସପନ କେତେ ଜହ୍ନ ରାତି ଅଭୁଲା ସେ ସ୍ମୃତି କେମିତି ଭୁଲିବ ମନ । ଅତୀତର ଖୁସି ସବୁଠୁ ନିଆରା କେବେ ସେ ମିଳିବ ନାହିଁ ସଢେଇ ଖେଳରେ ଭାତ ତରକାରୀ ସେଇ ଖେଳ ମଜା କାହିଁ । ବହି ବସ୍ତାନିକୁ ପିଣ୍ଢାରେ ପକେଇ ସାଙ୍ଗ ସାଥେ ଧାଇଁ ଯିବା କା’ ବାଡିରେ ପଶି ବିଜୁଳି କାନ୍ଧିଆ ଚୋରି କରି ଖାଇ ନେବା । କାହା ବାଡିରୁ କୋଳି କାହା ବାଡି କଇଁଆ କା’ ବାଡିର ଆମ୍ବ ଦେଖି ଖାବୁଡକୁ ମାରି ଆମ୍ବକୁ ଝଡେଇ ପିଟା ଖାଉ ବାଡି ଯୋଖି । ଗୁରୁଜୀଙ୍କ ସେଇ ସରୁ ଚଟକଣି ରୁଲ୍ ବାଡିର ମାଡ ହାତ ପଛ ପଟେ ଡଷ୍ଟର ମାଡରେ ଛାଡି ଯାଏ ମାଘ ଜାଡ । ପୋଖରୀ ଗାଧୁଆ କଇଁ ଫୁଲ ତୋଳା ବଣ ଭୋଜିର ସେ ମଜା ସେଇ ଗୁଡି ଖେଳ ହେଇଛି ଅତୀତ ବାଘ ଛେଳି ଖେଳ ଖୋଜା । ହାଇସ୍କୁଲର ସାଙ୍ଗ ସାଥି ମଜା କଲେଜ ବେଳରେ ନାହିଁ କଲେଜ ବେଳରେ ସେଇ ପ୍ରେମ ପାଠ କେତେ ଲାଜ ଦିଏ କହି । ଅତୀତ କାଳର ସେନେହ ମମତା ହସ ଖୁସି ନାହିଁ କିଛି ସ୍ୱାର୍ଥରେ ପାଗଳ ଏଇ ମଣିଷ ନା ସମ୍ପର୍କ ମାନେ ବୁଝୁଛି । ଅତୀତ ପୁନେଇଁ ପରବ ଯାତରା ଆତ୍ମୀୟତା ଭରା କେତେ ଦେଖିଲେ ନୟନେ ସେ ବନ୍ଧୁତା ଭାବ ପେଟ ପୂରି ଯାଏ ସତେ । ଅତୀତର ସେଇ ନୂଆଣିଆ ଚାଳ ଟୋପି ଟୋପି ବର୍ଷା ପାଣି କାଗଜ ଡଙ୍ଗାକୁ ଭସେଇବା ପାଇଁ ଖାତା ଚିରୁ ଜାଣି ଶୁଣି । ବରଷା ସମୟେ ମକା ଶିମ୍ବ ମଞ୍ଜି ବୁଟ ବଡଚଣା ଭଜା ରାଶି ଖୁଦ ଭଜା ଲାଗେ କେତେ ମଜା ମୁଢି ସଙ୍ଗେ ବାରମଜା । ଡାକି ଦେଲେ ପିଲେ କେତେ ଶରଧାରେ ପାଖକୁ ଆସନ୍ତି ଧାଇଁ ବୋଲ ହାକ କରି ଦୋକାନକୁ ଯାଇ ସଉଦା ଆଣନ୍ତି ଯାଇ । ସନ୍ଧ୍ୟା ହେଇଗଲେ ପ୍ରାର୍ଥନା କରିଣ ସପ ପକେଇ ଦିଅନ୍ତି କେତେ ଗପ ଢଗ ଢମାଳି କାହାଣୀ ଖୁସି ହେଇ ଶୁଣି ଥାନ୍ତି । କୁଳବୋହୁମାନେ କି ସୁନ୍ଦର ଶାଶୁ ଶଶୁର ସେବା କରନ୍ତି ଆଜି କାଲି ତାହା ସ୍ୱପ୍ନ ହେଇ ଯାଏ ହାତ ପୂରେଇ ମାରନ୍ତି । ଅତୀତର ଲୋକେ ଥିଲେ ବହୁ ଭଲ ଥିଲା ମଣିଷ ପଣିଆ ବର୍ତ୍ତମାନ ଲୋକ ଧନକୁ ଚିହ୍ନନ୍ତି ଅଟନ୍ତି ହୀନିମାନିଆ । ଅତୀତ ବର୍ତ୍ତମାନ ଭବିଷ୍ୟତକୁ ଯେ ତିନିଗୋଟି କାଳ କହି ଯାହା ଚାଲି ଯାଏ ତାହା ତ ଅତୀତ ଚାଲେ ବର୍ତ୍ତମାନ ଏହି । ଆଗକୁ ଯାହାତ ଘଟିବାର ଅଛି ଭବିଷ୍ୟତ ଅଟେ ସିଏ କ’ଣ ସେ ଘଟିବ କିଏ ବା ଜାଣିଛି କହିବା ପାରିବ କିଏ ? ଲତା ବେହେରା ଜକା, ଢେଙ୍କାନାଳ