ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲତା ବେହେରା  ଙ୍କ କବିତା ଅତୀତ

       ଅତୀତ 

   

             ଲତା ବେହେରା 

          
ଅତୀତ କଥାକୁ ଭାବି ଦେଲେ ମନେ
         କେତେ ଦୃଶ୍ୟ ଭାସି ଆସେ
ଅତୀତର ସେଇ ଗୋଟି ଗୋଟି କଥା
         ଆଖିର ଆଗରେ ଦିଶେ ।
କେତେ ମିଠା ସ୍ମୃତି କେତେ ସେ କାହାଣୀ
          ଯନ୍ତ୍ରଣା ଭରା ଜୀବନ
କେତେ ଥଟ୍ଟା ମଜା କେତେ ହସ ଖୁସି
         କେତେ ନିନ୍ଦା ଅପମାନ ।
କେତେ ସ୍ନେହ ପ୍ରେମ କେତେ ଯେ ବିରହ
         କେତେ ସେ ମିଠା ସପନ
କେତେ ଜହ୍ନ ରାତି ଅଭୁଲା ସେ ସ୍ମୃତି 
           କେମିତି ଭୁଲିବ ମନ ।
ଅତୀତର ଖୁସି ସବୁଠୁ ନିଆରା
             କେବେ ସେ ମିଳିବ ନାହିଁ 
ସଢେଇ ଖେଳରେ ଭାତ ତରକାରୀ
           ସେଇ ଖେଳ ମଜା କାହିଁ ।
ବହି ବସ୍ତାନିକୁ ପିଣ୍ଢାରେ ପକେଇ
         ସାଙ୍ଗ ସାଥେ ଧାଇଁ ଯିବା
କା’ ବାଡିରେ ପଶି ବିଜୁଳି କାନ୍ଧିଆ
       ଚୋରି କରି ଖାଇ ନେବା ।
କାହା ବାଡିରୁ କୋଳି କାହା ବାଡି କଇଁଆ
           କା’ ବାଡିର ଆମ୍ବ ଦେଖି
ଖାବୁଡକୁ ମାରି ଆମ୍ବକୁ ଝଡେଇ
         ପିଟା ଖାଉ ବାଡି ଯୋଖି ।
ଗୁରୁଜୀଙ୍କ ସେଇ ସରୁ ଚଟକଣି
         ରୁଲ୍ ବାଡିର ମାଡ
ହାତ ପଛ ପଟେ ଡଷ୍ଟର ମାଡରେ
         ଛାଡି ଯାଏ ମାଘ ଜାଡ ।
ପୋଖରୀ ଗାଧୁଆ କଇଁ ଫୁଲ ତୋଳା
         ବଣ ଭୋଜିର ସେ ମଜା
ସେଇ ଗୁଡି ଖେଳ ହେଇଛି ଅତୀତ 
          ବାଘ ଛେଳି ଖେଳ ଖୋଜା ।
ହାଇସ୍କୁଲର ସାଙ୍ଗ ସାଥି ମଜା
           କଲେଜ ବେଳରେ ନାହିଁ
କଲେଜ ବେଳରେ ସେଇ ପ୍ରେମ ପାଠ 
           କେତେ ଲାଜ ଦିଏ କହି ।
ଅତୀତ କାଳର ସେନେହ ମମତା 
           ହସ ଖୁସି ନାହିଁ କିଛି 
ସ୍ୱାର୍ଥରେ ପାଗଳ ଏଇ ମଣିଷ ନା
           ସମ୍ପର୍କ ମାନେ ବୁଝୁଛି ।
ଅତୀତ ପୁନେଇଁ ପରବ ଯାତରା
         ଆତ୍ମୀୟତା ଭରା କେତେ
ଦେଖିଲେ ନୟନେ ସେ ବନ୍ଧୁତା ଭାବ
        ପେଟ ପୂରି ଯାଏ ସତେ ।
ଅତୀତର ସେଇ ନୂଆଣିଆ ଚାଳ
          ଟୋପି ଟୋପି ବର୍ଷା ପାଣି
କାଗଜ ଡଙ୍ଗାକୁ ଭସେଇବା ପାଇଁ 
          ଖାତା ଚିରୁ ଜାଣି ଶୁଣି ।
ବରଷା ସମୟେ ମକା ଶିମ୍ବ ମଞ୍ଜି 
          ବୁଟ ବଡଚଣା ଭଜା
ରାଶି ଖୁଦ ଭଜା ଲାଗେ କେତେ ମଜା
          ମୁଢି ସଙ୍ଗେ ବାରମଜା ।
ଡାକି ଦେଲେ ପିଲେ କେତେ ଶରଧାରେ 
          ପାଖକୁ ଆସନ୍ତି ଧାଇଁ 
ବୋଲ ହାକ କରି ଦୋକାନକୁ ଯାଇ
         ସଉଦା ଆଣନ୍ତି ଯାଇ ।
ସନ୍ଧ୍ୟା ହେଇଗଲେ ପ୍ରାର୍ଥନା କରିଣ
          ସପ ପକେଇ ଦିଅନ୍ତି 
କେତେ ଗପ ଢଗ ଢମାଳି କାହାଣୀ
         ଖୁସି ହେଇ ଶୁଣି ଥାନ୍ତି ।
କୁଳବୋହୁମାନେ କି ସୁନ୍ଦର ଶାଶୁ 
          ଶଶୁର ସେବା କରନ୍ତି 
ଆଜି କାଲି ତାହା ସ୍ୱପ୍ନ ହେଇ ଯାଏ
           ହାତ ପୂରେଇ ମାରନ୍ତି ।
ଅତୀତର ଲୋକେ ଥିଲେ ବହୁ ଭଲ
            ଥିଲା ମଣିଷ ପଣିଆ 
ବର୍ତ୍ତମାନ ଲୋକ ଧନକୁ ଚିହ୍ନନ୍ତି 
            ଅଟନ୍ତି ହୀନିମାନିଆ ।
ଅତୀତ ବର୍ତ୍ତମାନ ଭବିଷ୍ୟତକୁ ଯେ
          ତିନିଗୋଟି କାଳ କହି 
ଯାହା ଚାଲି ଯାଏ ତାହା ତ ଅତୀତ
         ଚାଲେ ବର୍ତ୍ତମାନ ଏହି ।
ଆଗକୁ ଯାହାତ ଘଟିବାର ଅଛି
          ଭବିଷ୍ୟତ ଅଟେ ସିଏ
କ’ଣ ସେ ଘଟିବ କିଏ ବା ଜାଣିଛି
           କହିବା ପାରିବ କିଏ ?

          ଲତା ବେହେରା 

                   ଜକା, ଢେଙ୍କାନାଳ 

Related posts

ପୁରୁଷୋତ୍ତମ ମିଶ୍ର ଙ୍କ ପରଲୋକ 

ଖେଳ ପ୍ରେମୀଙ୍କ ମନରେ ବିଷାଦ: କେବେ ସଂପୂର୍ଣ୍ଣ ହେବ ନର୍ଲା ମିନି ଷ୍ଟାଡିୟମ ?

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

Leave a Comment

error: Content is protected !!