Uncategorizedସ୍ମୃତିରଞ୍ଜନ ଦାସ ଙ୍କ କବିତା ଦୁର୍ଯ୍ଯୋଧନର ମାଧବଙ୍କୁ ପ୍ରଶ୍ନ by Sunil Chandra NayakOctober 26, 20220110 Share0 ଦୁର୍ଯ୍ଯୋଧନର ମାଧବଙ୍କୁ ପ୍ରଶ୍ନ ନାମେ ଯାର ଅଛି ଅପରାଜୟତା ସ୍କନ୍ଧେ କମଳିନୀ ବାସ ଧୃତରାଷ୍ଟ୍ର ଅଂଶୁ ଜନମ ଯାହାର ସେ କି ଭୀରୁ କାପୁରୁଷ । ବୀର ପଣେ ଯାର ମେଦିନୀ ଥରଇ ଶତୃମୁଖେ ହାହାକାର ସେହି ଦୁର୍ଯ୍ଯୋଧନ ପଚାରୁଛି କିଛି କୃଷ୍ଣ ହେ ଦେବ ଉତ୍ତର । ହୃଷୀକେଶ ତୁମେ ହୃଦୟେ ବିରାଜି ଦେଖାଅ ଜୀବନ ପଥ ବିହି ନିର୍ଦ୍ଦେଶିଛି ମୁଁ କର୍ମ କରିଛି ଦିଅ କାହିଁ ମୋତେ ଦୋଷ ? ପିତା ଥିଲେ ମୋର ପୁତ୍ର ମୋହେ ଅନ୍ଧ ମୁଁ ଗର୍ବୀ କାହିଁ ନହେବି ସଭିଏଁ ପାଆନ୍ତି ପାଣ୍ଡବଙ୍କୁ ଭଲ ଇର୍ଷା କାହିଁ ନ କରିବି ? ବାଳୁତେ ହାରିଛି ଭୀମଠୁ କେତେ ମୁଁ କିମ୍ପା ଜୟ ନ ପାଞ୍ଚିବି ଅର୍ଜ୍ଜୁନ ହୋଇଲା ଶ୍ରେଷ୍ଠ ଧନୁର୍ଦ୍ଧର ଅସୂୟା କାହିଁ ନ ହେବି ? ସଭିଏଁ କହିଲେ ଯୁଧିଷ୍ଠିର ବଡ ଧର୍ମରାଜ ସିଏ ବୋଲି ରାଜାଙ୍କର ଥିଲି ଜ୍ୟେଷ୍ଠ ପୁତ୍ର ବୋଲି ମୁଁ ମୋର ସ୍ଥାନ ଖୋଜିଲି । ଜ୍ୟେଷ୍ଠ ପୁତ୍ର ହୋଇ ପାଣ୍ଡୁଙ୍କ ନାମରେ ପିତା ମୋ ଶାସନ କଲେ ଅନ୍ଧ ବୋଲି ସିନା ଏତିକି ଅନ୍ୟାୟ ମନ ମଧ୍ୟେ ସହିଗଲେ । ମୋ ପୂର୍ବପୁରୁଷ କଲା କର୍ମ ମାନ ମୁଁ କାହିଁ ଭୋଗିବି ଭଲା ମୁହିଁ ରାଜାପୁଅ ରାଜ୍ୟ ଅଧିକାରୀ ଏହା ଚିତ୍ତ ବିଚାରିଲା । ସମ୍ଭ୍ରାନ୍ତ ପ୍ରତୀକ ଯେଉଁ ଦ୍ୟୁତକ୍ରୀଡା ଖେଳୁଥିଲୁ ଆମ୍ଭେ ଭାଇ ଧର୍ମରାଜ ହାରି ସମସ୍ତ ବୈଭବ ଦ୍ରୌପଦୀ ଥିଲା ବସାଇ । ଜିତିବା ଚିଜରେ ଅଧିକାର ମୋର ସାବ୍ୟସ୍ତ କି ଭୁଲ ଥିଲା ଅନ୍ଧ ପୁଅ ଅନ୍ଧ ଶବ୍ଦଟା ମୋ କାନେ ଗୁଞ୍ଜରିତ ହେଉଥିଲା । ତୁମେ ମାଗିଥିଲ ପାଞ୍ଚ ଖଣ୍ଡ ପଡା କେମିତି ଦିଅନ୍ତି ଟେକି ବାଳି ଦେଇଥିଲା ତିନି ପାଦ ଭୂଇଁ ପାତାଳକୁ ଥିଲ ଚାପି । ପାଣ୍ଡବଙ୍କ ପରାକ୍ରମରେ ଲଜ୍ଜିତ ବାଳୁତୁ ହୋଇଛି ମୁହିଁ ଜଗତ କହିବ କାପୁରୁଷ ମୋତେ ଯଦି ଫେରାଇଲି ମହୀ । ଭୀଷ୍ମ ଦ୍ରୋଣ କର୍ଣ୍ଣ ଯା ପକ୍ଷେ ଲଢନ୍ତି ସେ ପୁଣି ଡରିବ କାହିଁ ତେଣୁ ବିଚାରିଲି ବିନା ଯୁଦ୍ଧେ ଟିକେ ମେଦିନୀ ମୁଁ ଦେବି ନାହିଁ । କୁହ ବାସୁଦେବ କେଉଁ ଅପରାଧେ କଲ ମୋତେ ଛାରଖାର ମୋ ବଂଶରେ ଆଉ କେହି ନରହିଲେ କାହିଁକି ଏ ଅବିଚାର ? ଭାଇ ନରହିଲା ସଖା ନରହିଲା ଶେଷେ ଲକ୍ଷ୍ମଣ କୁମାର ସରୋବର ପାଶେ ଜାନୁଭଙ୍ଗ ପରେ ପାଏନା କଷ୍ଟୁ ନିସ୍ତାର ? ସ୍ମୃତିରଞ୍ଜନ ଦାସ ଭୁବନେଶ୍ବର