ନିଜକୁ ମୁଁ ଭଲ ପାଉଛି
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ସଭିଙ୍କ ଖୁସିରେ ଖୁସି ମୁଁ ହେଉଛି
ତେଣୁ ମୁଁ ସୁନ୍ଦର ଦିଶୁଛି,
ଏହି ଦୁନିଆଁରେ ଅତି ସରାଗରେ
ନିଜକୁ ମୁଁ ଭଲ ପାଉଛି…(୦)
କାଦୁଅରେ ପାଦ ଥାପିବା ବିପଦ
ଧୋଇବାର ମୋତେ ଆସେନି
ତେଣୁ କେତେବେଳେ ଏହି ଭୁମଣ୍ଡଳେ
ବିପଦକୁ ସତ ଲୋଡ଼େନି
ତେଣୁ ହେ ସମସ୍ୟା ନ କରୁଛି ବସା
ସମସ୍ୟା ଠୁ ଦୂରେ ରହୁଛି
ନିଜକୁ ମୁଁ ଭଲ ପାଇଛି …..(୧)
ଏ ଜୀବନ ମୋର ଅତୀବ ସୁନ୍ଦର
କିଆଁ ମୁଁ କରିବି ବିରୂପ
ହିଂସା ଦ୍ୱେଷ ଭାବ ରଖି ଏହି ଭବ
କାହିଁକି ପାଇବି ବିଦ୍ରୁପ
ସଦା ସତ୍ୟ ଧର୍ମ ନ୍ୟାୟର ପଥରେ
କଷ୍ଟ ହୋଇଲେ ବି ଚାଲୁଛି
ନିଜକୁ ମୁଁ ଭଲ ପାଇଛି….(୨)
କାହା ପାଇଁ କେବେ ଜାଣି ଜାଣି ଭବେ
ଗାତ ଖୋଳି ନାହିଁ ଜୀବନେ
କାଳେ ପଡିଯିବି ଦୁର୍ଗତି ଭୋଗିବି
ବୋଲି ଡର ପଶେ ଏ ମନେ
ତେଣୁ କୁସୁମିତ ସଦା ମୋର ପଥ
ମିଛ ନୁହେଁ ସତ କହୁଛି
ନିଜକୁ ମୁଁ ଭଲ ପାଇଛି…(୩)
ଆଦର ସାନରେ ସମ୍ମାନ ଗୁରୁରେ
ଢ଼ାଳୁଛି ସଦା ମୁଁ ଜୀବନେ
ଖରାପ କଥାକୁ କେବେ ନ ଶୁଣୁଛି
କେବେ ନ ଧରୁଛି ମୋ କାନେ
ସେନେହ ପୀରତି ଦୟା କ୍ଷମା ନିତି
ହୃଦୟରେ ମୋର ରହୁଛି
ନିଜକୁ ମୁଁ ଭଲ ପାଉଛି…..(୪)
ଫୁଲବାଣୀ, କନ୍ଧମାଳ