ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଶିର ସାହୁ ମନୋଜ ଙ୍କ ଆଲେଖ୍ୟ •ପଦ୍ମପୁରର ବୋଡ଼ାସମ୍ବର• 

•ପଦ୍ମପୁରର ବୋଡ଼ାସମ୍ବର• 

ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳର ଏକ ଗ୍ରାମର ନାମ ହେଉଛି ବୋଡ଼ାସମ୍ବର କିନ୍ତୁ ପୂର୍ଵେ ବୋଡ଼ାସମ୍ବର ଏକ ଐତିହ୍ୟପୂର୍ଣ୍ଣ ଜମିଦାରୀ ଅଞ୍ଚଳ ଥିଲା ।

ଏହା ୮୪୧ ଵର୍ଗମାଇଲ ତଥା ୪୭୬ଟି ଗ୍ରାମ ମଧ୍ଯରେ ଵ୍ୟାପ୍ତ ଥିଲା । ବୋଡ଼ାସମ୍ବରର ଦକ୍ଷିଣରେ ୧୦୪୪.୦୮ ମିଟର ଉଚ୍ଚତା ବିଶିଷ୍ଟ ଗନ୍ଧମାର୍ଦ୍ଦନ ପର୍ଵତମାଳା ଅଵସ୍ଥିତ, ପୂର୍ଵ ସୀମାରେ ବଲାଙ୍ଗୀର ଜିଲ୍ଲାର ଆଗଲପୁର, ପଶ୍ଚିମ ଦିଗରେ ନୂଆପଡ଼ା ଜିଲ୍ଲା, ଉତ୍ତର ଦିଗରେ ଛତିଶଗଡ଼ ରାଜ୍ୟର ଫୁଲଝର ଅଞ୍ଚଳ ଅଵସ୍ଥିତ । ଅଧୁନା ଏ ଅଞ୍ଚଳ ସୀମିତ ହୋଇ ବରଗଡ଼ ଜିଲ୍ଲାର ପଦ୍ମପୁର ନଗରଠାରୁ ୧୮ କି.ମି ଦୂରରେ ବୋଡ଼ାସମ୍ବର ଗ୍ରାମ ଭାବେ ଵିଦ୍ୟମାନ । ଇଂରାଜୀରେ ଏ ଅଞ୍ଚଳର ନାମ Borasambar ଲେଖାଯାଉଛି ଏଵଂ ଏଠିକାର ପିନ୍ କୋଡ଼ ହେଲା ୭୬୮୦୩୯ । ଏହି ଅଞ୍ଚଳଟି ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୩୫୦ କି.ମି ଦୂରରେ ଅଵସ୍ଥିତ।

କିମ୍ବଦନ୍ତୀ ଅନୁସାରେ ପ୍ରାଚୀନ କାଳରେ ଵୀର ବାରଭାଇ ବେଣ୍ଟକାର ଅରଣ୍ୟ ଭିତରେ ପରିଭ୍ରମଣ କରୁକରୁ ଏହି ଜମିଦାରୀ ଅଞ୍ଚଳ ପ୍ରତିଷ୍ଠା କରିଥିଲେ । ବୋଡ଼ାସମ୍ବର , ପଦ୍ମପୁର ଉପଖଣ୍ଡର ଐତିହ୍ୟପୂର୍ଣ୍ଣ ଅଞ୍ଚଳ ଵିଵେଚିତ ହୋଇଥାଏ । ଅରଣ୍ୟ ଦ୍ୱାରା ଆଚ୍ଛାଦିତ ଏହି ଗ୍ରାମ ବୋଡ଼ାସମ୍ବର ଗଡ଼ଜାତର କେନ୍ଦ୍ରସ୍ଥଳୀ ଥିଲା ।

କୁହାଯାଏ ବୋଡ଼ାସମ୍ବରରେ ବିଞ୍ଜାଲ,କନ୍ଧ,ଶବର ତଥା ଗଣ୍ଡ ଜାତିର ମୁଖିଆମାନେ ଅନେକ ସଂଖ୍ୟାରେ କ୍ଷୁଦ୍ରକ୍ଷୁଦ୍ର ରାଜ୍ୟଗୁଡ଼ିଏ ପ୍ରତିଷ୍ଠା କରିଥିଲେ । ବିଂଝାଲମାନଙ୍କ ଦ୍ଵାରା କଥିତ କିମ୍ବଦନ୍ତୀ ଅନୁସାରେ ଏମାନଙ୍କ ପୂର୍ଵପୁରୁଷ ବାରଭାଇ ବେଣ୍ଟକାର । ପ୍ରତ୍ୟେକ ଭ୍ରାତା କେତେଗୁଡ଼ିଏ ଗ୍ରାମକୁ ନେଇ ପ୍ରଶାସନିକ ଖଣ୍ଡର ଶାସନ ଭାର ଗ୍ରହଣ କରିଥିଲେ ।

ବାରଭାଇଙ୍କ ମଧ୍ୟରେ ସୂର୍ଯ୍ୟ ବରିହା ଥିଲେ ଜ୍ୟେଷ୍ଠ ଭ୍ରାତା । ‘ଶ୍ରୀ ନୃସିଂହ ମାହାତ୍ମ୍ୟ’ ଅନୁଯାୟୀ ସୂର୍ଯ୍ୟ ବରିହା ହେଉଛନ୍ତି ବୋଡ଼ାସମ୍ବର ଗଡ଼ଜାତର ପ୍ରଥମ ରାଜା ।

୧୮୯୯ ମସିହାରେ ଲାଲ ରାଜେନ୍ଦ୍ର ସିଂହ ବରିହା ରାଜ୍ୟର ଶାସନ ଭାର ବହନ କରିଥିଲେ । ଶାସନର ଗୁରୁତ୍ଵକୁ ଉପଲବ୍ଧି କରି ସେ ପଦ୍ମପୁରକୁ ରାଜଧାନୀ ରୂପେ ବାଛିଥିଲେ । ବୋଡ଼ାସମ୍ବର ଏକ ଶୃଙ୍ଖଳିତ, ଐତିହ୍ୟ ସମ୍ପନ୍ନ,ଶକ୍ତିଶାଳୀ ତଥା କ୍ଷମତାପୂର୍ଣ୍ଣ ଗଡ଼ଜାତ ଅଞ୍ଚଳ ରୂପେ ସୁଖ୍ୟାତି ବହନ କରିଥିଲା । 

 ବୋଡ଼ାସମ୍ବର ନାମକରଣ ପଛରେ କିମ୍ବଦନ୍ତୀମୂଳକ ଆଖ୍ୟାନ ରହିଛି । ବାରଭାଇ ବେଣ୍ଟକାର ଶିକାର ଉଦ୍ଦେଶ୍ୟରେ ନିଘଞ୍ଚ ଅରଣ୍ୟ ଭିତରେ ବୁଲୁଥିଲା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖି ଚମକି ପଡ଼ିଲେ । 

ଶ୍ଵେତ ଵରାହ ଓ ଶ୍ଵେତ ଶଶା ଭିତରେ ମରଣାନ୍ତକ ଲଢ଼େଇ ଚାଲିଥିଲା । ଜ୍ୟେଷ୍ଠ ଭ୍ରାତା ପ୍ରଵଳ ସିଂ ଶର ନିକ୍ଷେପ କଲେ । ତାହା ଲକ୍ଷ୍ୟଭ୍ରଷ୍ଟ ହୋଇ ଵରାହ ଶଶକ ସହ ପୂର୍ଵ ଦିଗକୁ ଗଲା । ଶୁଣାଯାଏ ସ୍ଵୟଂ ଜଗନ୍ନାଥ ଵରାହ ରୂପ ଧାରଣ କରିଥିଲେ । 

ମାୟାଧର ପ୍ରଭୁ ଵରାହ ରୂପୀ ଜଗନ୍ନାଥ ପୁରୀ ଶ୍ରୀମନ୍ଦିରରେ ପଶିଗଲେ ଏଵଂ ଯାଉଁଳା କବାଟଟିକୁ ବନ୍ଦ କରିଦେଲେ । ଫଳତଃ ଶ୍ରୀମନ୍ଦିରର ମୁଖ୍ୟ ଦରଜାରେ ଶରଟି ଲାଖି ରହିଲା । ସମସ୍ତ ମଲ୍ଲଯୋଦ୍ଧା ଆପ୍ରାଣ ଉଦ୍ୟମ କଲେ ସୁଦ୍ଧା ଶରଟିକୁ ବାହାର କରି ପାରିଲେନି । 

ବାରଭାଇ ବେଣ୍ଟକାର ପୁରୀରେ ପହଞ୍ଚି ନିଜର ଶରଟିକୁ ଅନାୟସରେ ଚିହ୍ନି ପାରିଲେ । ମହାରାଜାଙ୍କର ଅନୁମତିକ୍ରମେ ଶରଟିକୁ ବାହାର କରି ବଳଶାଳୀର ପରିଚୟ ଦେଇଥିଲେ । ସନ୍ତୁଷ୍ଟ ହୋଇ ମହାରାଜ କହିଲେ ‘ତୁମେ ଗନ୍ଧମାର୍ଦ୍ଦନର ପାଦଦେଶରେ ଥିବା ‘ମଣିଦାକାନନ’ ରେ ନିଜ ଗଡ଼ ସ୍ଥାପନ କର । ଏକ ଵରାହ ଵା ବାର୍ହା ପଛରେ ଧାବନ କରି କ୍ଷତ୍ରିୟ ଧର୍ମ ପାଳନ କରିଥିବାରୁ ତୁମକୁ ‘ବରିହା’ ଉପାଧି ପ୍ରଦାନ କରାଗଲା ।’ 

ଗଜପତିଙ୍କ ଠାରୁ ମେଲାଣି ନେଇ ବାଟରେ ଲୁହୁରା କନ୍ୟା ସୁଲୋଚନାକୁ ପ୍ରବଳ ସିଂ ଵିଵାହ କଲେ । ମଣିଦାକାନନରେ ରାଜ୍ୟ ପ୍ରତିଷ୍ଠା କରି ଵସଵାସ କଲେ । ଜଙ୍ଗଲରେ ଭ୍ରମଣ କରୁଥିଲାବେଳେ ବାରଭାଇ ବେଣ୍ଟକାର ଵିଚିତ୍ର ଦୃଶ୍ୟର ଅଵଲୋକନରେ ଆତ୍ମହରା ହୋଇପଡ଼ିଲେ ।

ବୁଡ଼ା(ବୋଡ଼ା)ସାପଟିଏ ଵିରାଟ ସମ୍ବରକୁ ଆକ୍ରମଣ କରୁଥିଲାବେଳେ ଦୁହିଁଙ୍କ ଉପରକୁ ଶର ନିକ୍ଷେପ କଲେ । ସାପଟି ସମ୍ପୂର୍ଣ୍ଣ ରୂପେ ସମ୍ବରକୁ ଗିଳି ପଳାୟନ କରୁଥିଲେ ମଧ୍ୟ ସମ୍ବରର ମୁନିଆଁ ଶିଙ୍ଘରେ ଆକ୍ରାନ୍ତ ହୋଇ ସେଠି ଟଳି ପଡିଲା । ଏ ସ୍ଥାନଟି ବୀର ମାଟି । ଶତ୍ରୁ ହେଲେ ବି ପରାସ୍ତ ହୋଇପାରେ ଅନାୟସରେ । ଏମନ୍ତ ବିଚାରି ବାରଭାଇ ବେଣ୍ଟକାର ଗଡ଼ ତିଆରିଲେ । ‘ନୃସିଂହ ମାହାତ୍ମ୍ୟ’ ରେ ଲିଖୁତ ଅଛି – 

 “ବିଂଝାଲ ରାଜାଙ୍କ ସେହି ମୁଖ୍ୟଗଡ଼ ହେଲା ରାଜବୋଡାରେ ସେ ଗଡ଼ ବିଖ୍ୟାତ ହୋଇଲା । ଅରଣ୍ୟ କଟାଇ ତହିଁ ଗ୍ରାମ ବସାଇଲେ ସେଦିନୁ ସମସ୍ତେ ବୁଡ଼ା ସମ୍ବର ବୋଇଲେ ।” ମଶିଦାକାନନର ନାମ ପରିବର୍ତ୍ତିତ ହୋଇ ବୁଡ଼ାସମ୍ବର/ ବୋଡ଼ାସମ୍ବର ବୋଲି ନାମିତ ହେଲା । ଏବେ ବି ପଦ୍ମପୁର ଉପଖଣ୍ଡକୁ ବୋଡ଼ାସମ୍ବର ବୋଲି କୁହାଯାଉଛି । ତେବେ ଏହା ତ ପୌରାଣିକ ଵା କିମ୍ବଦନ୍ତୀ ମୂଳକ ମତ କିନ୍ତୁ ଐତିହାସିକଙ୍କ ମତାନୁଯାୟୀ ବୁଡ଼ାସମ୍ବର ଵା ବୋଡ଼ାସମ୍ବର ଶବ୍ଦର ମୂଳ ସମ୍ଭଵତଃ ବୁଦ୍ଧ ସମ୍ବତ୍ସର । 

ବୁଦ୍ଧ ଶବ୍ଦକାଳ କ୍ରମେ ପରିଵୃତ୍ତ ହୋଇ ବୁଡା ହୋଇଛି । ସମ୍ବତ୍ସର ଶବ୍ଦରୁ ସମ୍ବଅର ଵା ସମ୍ବର ହୋଇ ବୁଡ଼ାସମ୍ବର ଵା ବୋଡ଼ାସମ୍ବରର ନାମକରଣ ହୋଇଥିବାର ପ୍ରମାଣ ମିଳେ । 

ବୋଡ଼ାସମ୍ବରରେ ମାର୍ଜାର କେଶରୀ ଵୈଷ୍ଣଵ ଧର୍ମର ଦେଵତା ପୂଜା ଦେଖିଵାକୁ ମିଳେ । ଏ ଅଞ୍ଚଳ ବୌଦ୍ଧଧର୍ମ ସାଧନାର ପୀଠ ଥିଲା । ଗନ୍ଧଗିରି/ଗନ୍ଧମାର୍ଦନ ଗିରିର ପାଦଦେଶରେ ବୁଦ୍ଧସମ୍ବତ୍ସର ଵୈଶାଖ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିଲା । କାଳକ୍ରମେ ଜନଵସତି ସ୍ଥାପନ ହେଵା ସହ ଏହି ସ୍ଥାନର ନାଁ ବୋଡ଼ାସମ୍ବର ହୋଇଥିଵାର ଜଣାପଡ଼େ ।

ଆଜି ବୋଡ଼ାସମ୍ବରର ନାମ ଏକ ଗ୍ରାମ ମଧ୍ୟରେ ସୀମିତ ହୋଇଯାଇଥିଲେ ବି ପଦ୍ମପୁର ନଗରର ଵିଭିନ୍ନ ସ୍ଥାନରେ ବୋଡ଼ା ଓ ସମ୍ବରର ଲଢ଼ାଇକୁ ପ୍ରତିମା ରୂପେ ସ୍ଥାପନା କରାଯାଇଛି ପୁଣି ପଦ୍ମପୁର ଅଞ୍ଚଳର ସ୍ଥାନୀୟ ପ୍ରତୀକ ହୋଇଯାଇଛି ବୋଡ଼ା ଓ ସମ୍ବର ଲଢ଼ାଇ । ଏହା ସୂଚାଇ ଦିଏ ଯେ ଏକଦା ଏ ପଦ୍ମପୁର ଅଞ୍ଚଳଟି ବୋଡ଼ାସମ୍ବର ନାମରେ କଥିତ ହେଉଥିଲା । 

ଆଲେଖ୍ୟ—ଶିଶିର ସାହୁ ମନୋଜ 

କନ୍ତିଓ ପୁଟସାହି, ଢେଙ୍କାନାଳ 

Related posts

କନ୍ଧମାଳ ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦାୟୀତ୍ୱ ଗ୍ରହଣ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ମୋ ଘର ରାଜନୀତି

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା ସମୟ ସ୍ରୋତରେ ଜୀବନ

Sunil Chandra Nayak

Leave a Comment

error: Content is protected !!