ରୁପ୍ରା, ୧୪/୧୨ ମନିସ) : ୨୦୨୦ ରୁ ୨୦୨୧ କରୋନା ମହାମାରୀ ସମୟରେ ବିଶ୍ୱରେ ଭୟାନକ ପରିସ୍ଥିତି ଦେଖାଦେଇଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ଭୟାବହତା ଦେଖିବାକୁ ମିଳିଥିଲା। ଫଳରେ ସରକାର ତାଲାବନ୍ଦ୍ ଘୋଷଣା କରିଥିଲେ, ଏହି ସମୟରେ ଲୋକେ ଘରୁ ବାହାରକୁ ଯିବା ପାଇଁ ଡରୁଥିଲେ। ସେହି ସମୟରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ତାଣ୍ଡବ ରଚିଥିଲା । ପ୍ରତିଦିନ ମଣିଷ ମାନଙ୍କ ମୃତ୍ୟୁ ଓ ଅନ୍ୟପଟେ ସଂକ୍ରମଣର ଭୟରେ କିଏ କାହାକୁ ନଛୁଇଁବା ଭଳି ପରିସ୍ଥିତି କେତେଯେ ଭୟଙ୍କର ଥିଲା ତାହାର ସମସ୍ତେ ପ୍ରତ୍ୟକ୍ଷଦର୍ଶୀ । ଏହି କାଳ ବେଳାରେ କାହାର ମୃତ୍ୟୁ ହେଲେ ଭୟରେ କେହି ପାଖକୁ ଆସୁନଥିଲେ । ସେହି ସମୟରେ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସ୍ବେଚ୍ଛାସେବୀ ସଂଗଠନ “ସ୍ବର୍ଗଦ୍ବାର ସେବା ସଂଗଠନ” କୌଣସି ଭୟଭୀତ ନହୋଇ ଆଗେଇ ଆସିଥିଲା । ଗ୍ରମାଞ୍ଚଳ ମାନଙ୍କରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି ମାନଙ୍କ ଶବକୁ ସଂସ୍କାର କରିଥିଲା ସ୍ବର୍ଗଦ୍ବାର ସେବା ସଂଗଠନ । କର୍ଲାମୁଣ୍ଡା ବ୍ଲକ ଅଧିନ ବେଲଖଣ୍ଡି ନିକଟସ୍ଥ ସାଜାଜପାଟି ଗାଁ ଓ କେସିଙ୍ଗା ବ୍ଲକ ଅଧିନ କକୋଡମାଲ ଗାଁ କୁ ପହଞ୍ଚି ଶବ ସତ୍କାର କରିଥିଲା ସ୍ବର୍ଗଦ୍ବାର ସେବା ସଂଗଠନ । ଯାହାର ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି କେସିଙ୍ଗା ବିଡିଓ ପ୍ରଫୁଲ୍ଲ ଚନ୍ଦ୍ର ଓଦୁ ଓ ତତ୍କାଳୀନ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର । ଏଭଳି ଏକ ଦୁଃସାହସିକ ସେବା ସମାପନ କରିଥିବା ଏହି ସଂଗଠନ ପ୍ରତି ଜିଲ୍ଲା ପ୍ରଶାସନ ସାମାନ୍ୟ ସାବାସି ମଧ୍ୟ ଦେଇନାହିଁ । ତେଣୁ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ହେବାକୁ ଥିବା କଳାହାଣ୍ଡି ଉତ୍ସବ ଘୁମୁରା ରେ ରେଣ୍ଡୋ ମାଝୀ ମଞ୍ଚରେ ଏହି ସଂଗଠନର ସମସ୍ତ ସଦସ୍ୟଙ୍କୁ ସମ୍ମାନୀତ କରିବା ଉଚିତ ବୋଲି ବିଭିନ୍ନ ମହଲରେ ଦାବୀ ହେଉଛି ।
previous post