l l l ନାରୀ l l l
ଉପେନ୍ଦ୍ର କୁମାର ବସ୍ତିଆ
ନାରୀତ ଅଟଇ ଫୁଟନ୍ତା ଗୋଲାପ
ଅନ୍ତରେ ମମତା ଭରି
ସଂସାର ନଦୀକୁ ପାରିହେବା ପାଇଁ
ଦୁଃଖକୁ ନେଇଛି ବରି ।
ସଂସାର ଜାଲରେ ଛନ୍ଦି ହୋଇ ସିଏ
ବୁକୁରେ ଦୁଃଖକୁ ଧରି
ମମତାମୟୀ ସେ ଅଟେ ମହିୟସୀ
ପରକୁ ଆପଣା କରି ।
ସଂସାର ଅଟଇ ମାୟାର ଦୁନିଆ
ସ୍ୱାର୍ଥରେ ମଣିଷ ଅନ୍ଧ
ଜୀବନ ନାଟକେ ଚାଲେ ଅଭିନୟ
ଈର୍ଷା ,ମୋହ ଆଉ ଦ୍ଵନ୍ଦ ।
କାମନା ନଈରେ ନୀତି ଜଳୁଥାଏ
କନ୍ୟା ହୁଏ କୂଳବଧୁ
ମାତୃତ୍ଵ ଲାଗି ସେ ଦୁଃଖ ଜଞ୍ଜାଳକୁ
ପିଇନିଏ ଭାବି ମଧୁ ।
ସଂସାର ନୁହଁଇ ଶାନ୍ତିର ଆସ୍ପଦ
ଅଟଇ ସ୍ୱାର୍ଥର ବାଟ
ମମତା ବନ୍ଧଟା ଚହଲି ଜାଏତ
ସୃଷ୍ଟି ହୁଏ ଖାଲି ଫାଟ ।
ଯୌତୁକ ଯୁଈରେ ଜଳିଜଳି ନିଜେ
ଅନ୍ୟକୁ ଦିଏ ସେ ସୁଖ
ଦୁନିଆ ବୁକୂରେ ହୁଏ କାଳଜୟୀ
ପିଏ ସେ ସଂସାର ଦୁଃଖ ।
ରାଉରକେଲା