Uncategorizedଅପର୍ତ୍ତି ସେଠୀ ଙ୍କ କବିତା ସେହିଦିନ ଭଲ ଲାଗେ by Sunil Chandra NayakDecember 19, 2022060 Share0 ସେହିଦିନ ଭଲ ଲାଗେ ଅପର୍ତ୍ତି ସେଠୀ (ପଲ୍ଲୀ କବିତା) ଓଡ଼ିଆ ଘରର ବଢିଆ ସଂସ୍କୃତି ବାରମାସେ ତେର ପର୍ବ, ପ୍ରତି ପରବର ମହତ୍ତ୍ଵ ସ୍ଵତନ୍ତ୍ର ତାକୁ କେ ବର୍ଣ୍ଣି ପାରିବ? ବିଶେଷ ଦିନର ବିଶେଷ ପ୍ରସ୍ତୁତି ଅନନ୍ୟ ଚଳଣୀ ଆମ, ପରମ୍ପରା ବିଧି ଏଯାଏ ଅବଧି ହୋଇଥାଏ ଦୃଶ୍ୟମାନ। ବାହାଘର ଘି’ପିଠା ତିଆରିର ଯେଉଁ ମାଦକତା ଥାଏ, ଆଉ କେଉଁ ଦିନ ସେଇପିଠା ଏତେ ସୁଆଦ କି ଲାଗି ଥାଏ? ରଜ ପାନ ରଜ ପୋଡପିଠା ପୁଣି ରଜ ଦୋଳି କଟମଟ, ରଜକୁ ଛାଡିଲେ ଅନ୍ୟ କେଉଁ ଦିନ ସେ ଭାବ ମିଳେନି ମାତ୍ର। ରଜ ବାସୁଥିଲା ମାସକ ଆଗରୁ କିଆ ବଳା ଦଉଡିରୁ, କିମ୍ବା ଆମ ବୋଉ ବିରି ଚାଉଳକୁ ଚୂନା କରିଲା ଦିନରୁ। ଆସେ ରଥ ଯାତ କାଳିଆ ସାଆନ୍ତ ଗୁଣ୍ଡିଚାରେ ବିଜେ ରଥେ, ମୁକ୍ତି ପାଇଯାଏ ଏ ପତିତ ଜନ ବାମନଙ୍କୁ ଦେଖି ନେତ୍ରେ। ଭାଲୁକୁଣି ଓଷା ଝିଅଙ୍କର ଆଶା ପାହାନ୍ତି ଫୁଲ ତୋଳାର, ଭୁଲିବକି ମନ ସେହି ପିଲାଦିନ ହୃଦରେ କରିଛି ଘର। ରାକ୍ଷୀ ବନ୍ଧା ଗହ୍ମା ପୁନେଇ ଭଉଣୀ ରାକ୍ଷୀ ବାନ୍ଧେ ଭାଇ ହାତେ, ଅନ୍ଯଦିନେ ରାକ୍ଷୀ ଯେତେବା ବାନ୍ଧିବ ସେଥିରେ ମୂଲ୍ୟ ବା କେତେ? ଦୂତିଆ ଓଷାର ଘାଣ୍ଟ ତରକାରୀ ସେଦିନ ଯେଉଁ ସୁଆଦ, ଅନ୍ଯ ଦିନେ ଯେତେ ଯତ୍ନକରି ରାନ୍ଧ ନ ଥିବ ସେ ବାସଗନ୍ଧ। ଦଶହରା ମଣ୍ଡା ଛେନା ଗୁଡ଼ ଦିଆ ନଡ଼ିଆ ପୁରର ମଜା, ତାକୁ ଖାଉଥିବ ଖୁସି ହେଉଥିବ ନିଜକୁ ଭାବିବ ରଜା। ପାଳଭୂତ ମଜା ସେ ଚିନି ଉଖୁଡା ଜୁଆଣୀ ଖଣ୍ଡ ନଡ଼ିଆ, କୁଆଁର ପୁନେଇଁ ଦିନ ଖାଉଥାଆ ଲାଗିବ ଭାରି ବଢିଆ। ଦୀପଦାନେ ଦୀପାବଳି ଯେ ସୁନ୍ଦର ବଡବଡୁଆଙ୍କ ପୂଜା, ପିଣ୍ଡଦାନ ପୁଣି ପୁମ୍ପେଇ ଡକାର ନିଆରା ସେ ଭାବ ମଜା। ଯେଉଁ ଅଟକାଳୀ ଗଜ ପିଠା ଭୋଗ ବଡଓଷା ଦିନ ପାଇଁ, ଆଉ କେଉଁ ଓଷା ଦିନ ଏହି ଭୋଗ କେବେ ବି ମିଳିବ ନାହିଁ। କାର୍ତ୍ତିକ ପୁନେଇ ବୋଇତ ବନ୍ଦାଣ ପାହାନ୍ତିଆ ଡଙ୍ଗା ଭସା, ସେ ମଜା ନିଆରା ଆମ ପରମ୍ପରା ପୂଣ୍ଯେ ପୁରେ ମନବାଞ୍ଛା। ପ୍ରଥମାଷ୍ଟମୀର ପୋରୁହାଁ ପରବ ସେ ଯେଉଁ ଏଣ୍ଡୁରୀ ପିଠା, ହଳଦୀ ପତର ବାସ୍ନା ଫୁଟୁଥିବ କହିବାକୁ ନାହିଁ କଥା। ଆସେ ଯେବେ ଆମ ଶାମ୍ବ ଦଶମୀଟି ଧର୍ମ ଦେବତା ଉଦ୍ଦେଶ୍ଯେ, ନାନାଜାତି ପିଠା ମିଠା ଦ୍ରବ୍ୟ ବଢ଼ା ପିଲାଙ୍କର ଭିଡ଼ ବସେ। ବସନ୍ତ ପଞ୍ଚମୀ ସରସ୍ବତୀ ପୂଜା ଆନନ୍ଦମୟ ସଂସାର, ବିଦ୍ୟାଳୟ ଅନୁଷ୍ଠାନ ସାହି ବସ୍ତି ହୁଏ ଉତ୍ସବ ମୁଖର। ଫଗୁଣେ କୋଇଲି କୁହୁତାନ ଶୁଭେ ଦୋଳରେ ଦୋଳଗୋବିନ୍ଦ, ହୋଲିରଙ୍ଗ ବୋଳା ଯେଉଁ ଖୁସିଭରେ ଅନ୍ଯ ଦିନେ କି ମିଳିବ? ଓଡ଼ିଆ ସଂସ୍କୃତି ଯେ ସୁନ୍ଦର ଅତି ଗ୍ରୀଷମରୁ ରକ୍ଷା ପାଇଁ, ପଣା ସଙ୍କରାନ୍ତୀ ପଣା ଛତୁଆଟି କେବେ ବି ମିଳିବ ନାହିଁ। ଏମିତି ଆହୁରି ପରବ ପର୍ବାଣୀ ଆମରି ଘରେ ପାଳୁଛୁ, ସବୁ ପରେ ସେହି ବଡ଼ଠାକୁରଙ୍କୁ ଭରଷା କରି ବଞ୍ଚିଛୁ। ଏହିଆମ ଘର ଓଡ଼ିଆ ସଂସ୍କୃତି ପୂଜା ପାର୍ବଣରୁ କିଛି, ଠିକେଠିକେ କରି କହିଲା କିଞ୍ଚିତେ ଏ ମୂର୍ଖ ଅପର୍ତ୍ତି ବସି। ପାଳକଣା, କୋରୋ, କେନ୍ଦ୍ରାପଡ଼ା