ଶୂନ୍ୟତାର ସାଗର
ଜ୍ୟୋତ୍ସ୍ନା ରାଣୀ ଦେବୀ
ଶୂନ୍ୟତାର ସାଗର କୋଳେ
ଆଶାର ଶତ ଲହରୀ ଖେଳେ
ନିସ୍ଵତାର ପଥେ
ନରମି ଯାଏ ସରମି ଯାଏ
ତୁହିନ କାହିଁ ଉଜାଡି ନିଏ
ସ୍ଵପ୍ନ କଳି ଯେତେ ।
ତଥାପି ଉଠେ ପ୍ରାଚୀ ନଭେ
ଦୁକୂଳ ବର୍ଣ୍ଣ ବିଭା
ତିମିର ନାଶି ଘନ ବିଧ୍ଵଂସି
ଗଗନ ପ୍ରାନ୍ତେ ଉଭା
ଆଲୁଅ ଦିଏ ଢାଳି
ଅନ୍ତରେ ଫୁଟେ ନିମିଷେ ଛୁଟେ
ସୁବାସେ ମଧୁ ଢାଳି ।
ବଞ୍ଚିବାର ମୋହ ଇଏ
ଜୀବନ ଶିଖା ଜାଳି
ଆଗକୁ ଆଗ ପଥ କେତେ
ପାରେ କି କିଏ କଳି
ଧୂମାଳ ନଭ ତଳେ
ଶୁଭ୍ର ରେଖା ଜ୍ୟୋତି ଧାରେ
ସର୍ବଦା ଉଙ୍କି ମାରେ ।
ଏହିତ ମନ୍ତ୍ର ସଂଜୀବନୀ
ମୁମୂର୍ଷୁ ପ୍ରାଣେ ସିଞ୍ଚି
ଆୟୁଷ ରେଖା ଦୀର୍ଘ କରି
ଆଶାର ଫୁଲ ବିଞ୍ଚି
ବଞ୍ଚିବା ପାଇଁ ହେବ
ଦେବ ଦୁର୍ଲଭ ପରାଣ ତଟେ
ସୁକୀର୍ତ୍ତି ରହିଥିବ ।
ବ୍ରହ୍ମପୁର, ଗଂଜାମ