ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ୍ ଭ୍ୟାନ ଓଲଟି ୧୮ ଗୁରୁତର, ୮ ଆହତ , ଗୁରୁତରଙ୍କୁ ଭବାନୀପାଟଣା ଓ ରାୟଗଡ଼ା ସ୍ଥାନାନ୍ତର 

ଘଟଣାସ୍ଥଳରେ ପହଞ୍ ଉଦ୍ଧାର କାର୍ଯ୍ୟ ତଦାରଖ କଲେ ବ୍ଲକ ଅଧ୍ୟକ୍ଷା

ଲାଞ୍ଜିଗଡ଼,୦୩/୦୩(ମନିସ)-ଜଣେ ଠିକାଦାରଙ୍କ କଥାରେ ପଡ଼ି ଅଧିକ ପାରିଶ୍ରମିକ ପାଇବା ଆଶାରେ ସେମାନେ ବାହାରିଥିଲେ କାମ କରିବାକୁ । କିନ୍ତୁ କାମ କରିବାକୁ ଯାଉଥିବାବେଳେ ହିଁ ରାସ୍ତାରେ ସେମାନଙ୍କୁ ବିପଦ ଛକି ବସିଥିଲା । ସେମାନେ ବସିଥିବା ପିକଅପ୍ ଭ୍ୟାନ ଚାଳକର ବେପରୁଆ ଗାଡ଼ି ଚାଳନା ସେମାନଙ୍କ ପାଇଁ ବିପଦ ଡାକି ଆଣିଥିଲା । ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନଟି ଓଲଟି ପଡ଼ିବାରୁ ସେଥିରେ ବସିଥିବା ୨୬ ଜଣ ଶ୍ରମିକଙ୍କ ମଧ୍ୟରୁ ୧୮ ଜଣ ଗୁରୁତର ହୋଇଥିବାବେଳେ ଅନ୍ୟ ୮ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଏଭଳି ଏକ ଲୋମହର୍ଷକ ଦୁର୍ଘଟଣା ଘଟିଛି କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତ ଝିଗିଡ଼ିଠାରେ । ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ଜାରେଙ୍ଗପଟା, ଜିଞ୍ଜେରଗୁଡ଼ା, ଇରକୁଲି ଓ ବରାଘାଟି ଗାଁର ୨୬ ଜଣ ଶ୍ରମିକ ଏକ ପିକଅପ୍ ଭ୍ୟାନରେ ବସି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଦହିଖାଲକୁ ନୀଳଗିରି ଗଛ କାଟିବାକୁ ଯାଉଥିଲେ । ରାୟଗଡ଼ା ଜିଲ୍ଲା ବିଷମକଟକର ବାସୁ ବାବୁ ନାମକ ଜଣେ ମାଲିକ ସେମାନଙ୍କୁ ନୀଳଗିରି ଗଛ କାଟିବାକୁ ନେଉଥିବାବେଳେ ଝିଗିଡ଼ି ନିକଟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା । ଫଳରେ ସେଥିରେ ବସିଥିବା ସମସ୍ତ ୨୬ଜଣ ଯାକ ଶ୍ରମିକ ଛିଟିକି ପଡ଼ିଥିଲେ । ସେମାନଙ୍କୁ ପୁଲିସ ଓ ଆମ୍ବୁଲାନ୍ସ ସହାୟତାରେ ବିଶ୍ୱନାଥପୁର ଓ ଅମ୍ବାଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ୧୮ଜଣ ଗୁରୁତରଙ୍କୁ ଭବାନୀପାଟଣା ଓ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେହିପରି ୮ ଜଣ ଆହତ ବିଶ୍ୱନାଥପୁର ଓ ଅମ୍ବାଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏ ସଂପର୍କରେ ଖବର ପାଇ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଓ ତାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଅମ୍ବାଦଳା ଓ ବିଶ୍ୱନାଥପୁର ଡାକ୍ତରଖାନା ଯାଇ ଗୁରୁତର ଆହତ ଓ ଆହତଙ୍କ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ତଦାରଖ କରିଥିଲେ । ସେହିପରି ସାମ୍ବାଦିକ ଓ ସମାଜସେବୀ ସନ୍ତୋଷ ତୁଳ, ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ ଓ ତାଙ୍କ ପ୍ରତିନିଧି କର୍ଣ୍ଣ ମାଝୀ, ଲକ୍ଷ୍ମୀକାନ୍ତ ବେହେରା, ଜଗା ପ୍ରଧାନୀ ପ୍ରମୁଖ ଗୁରୁତରଙ୍କୁ ଉଦ୍ଧାର ତଥା ସ୍ଥାନାନ୍ତର କାର୍ଯ୍ୟରେ ସହଯୋଗ କରିଥିଲେ । ଏନେଇ ଅମ୍ବାଦଳା ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଦୁର୍ଘଟଣା ପରେ ଚାଳକ ଜଣକ ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ରାଜ୍ୟସ୍ତରୀୟ ଭୂମିଜ ପ୍ରଧାନ କାର୍ଯ୍ୟାଳୟ ଉଦଘାଟନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

masiha

ଅଟୋ ଛଡେଇ ନେଲା ଶଙ୍ଖା ସିନ୍ଦୁର

Sunil Chandra Nayak

ଧାନ କିଣା କାରବାର ସ୍ବଚ୍ଛତା ଓ ଶୃଙ୍ଖଳିତ ଉଦ୍ୟେଶ ନେଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ

masiha

Leave a Comment

error: Content is protected !!