= ଫେରାର ମୌସୁମୀ =
ମଉସୁମୀ ତୁମେ ପ୍ରେୟସୀ ରୂପସୀ
ଚାଲିଗଲ କିମ୍ପା ଛାଡି,
କାଉଁରୀ ପରଶ ଦେଇଗଲ କେତେ
କେଉଁ ରାଜ୍ୟେ ଗଲ ଉଡି?।।
ନାହିଁତ ଠିକଣା ତୁମର କେଉଁଠି
ଖୋଜିବି କିପରି କୁହ,
ଫେରାର ହେବାଟା ପେଶା ନିଶା କି ଗୋ
ଖୋଲିକରି କହିଦିଅ।।
କେତେ ପ୍ରତୀକ୍ଷାର ଅନ୍ତଃ ଘଟାଇ
ଆସିଥିଲ ମୋର ପାଶେ,
ଏତେ ନିଦାରୁଣ ହୋଇଲ କିପରି
ଚାଲିଗଲ ଦୂର ଦେଶେ।।
ତଥାପି ତୁମକୁ ଅପେକ୍ଷା କରିବି
ଯେତେ ଡେରି ପଛେ ହେଉ,
ଅକୁହା କଥା ମୋ କାନେ କହିଦେବି
ସାଧିବନି ଆଉ ଦାଉ।।
ପ୍ରଥମ ଛୁଆଁର ପ୍ରୀତିରେ ଭୁଲାଇ
ଚାଲିଗଲ ସିନା ଦୂରେ,
ମହୁଆ ନିଶାରେ ଘାରି ମୁଁ ହେଉଛି
ବାଟ ଚାହିଁ ନିତି ଝୁରେ।।
ଆଉ ଛାଡିବିନି ପାଖରୁ ମୋହର
ସୁଯୋଗ ବି ଦେବି ନାହିଁ,
ଫେରାର କିପରି ହେବଗୋ ସଜନୀ
ଦେଖିବି ମୁଁ ବସି ରହି।।
ଫେରିଆସ ତୁମେ ଉଛୁର କରନା
ବସିଛି ମୁଁ ବାଟ ଚାହିଁ,
‘ମୌସୁମୀ’ ତୁମେ ଜୀବନ ମୋହର
ଥିଲ-ଅଛ-ଥିବ ରହି।।
ଚିତ୍ରା ରାଣୀ ପାତ୍ର
ବାଲେଶ୍ୱର