ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଏନଏସି ଓ୍ବାଡ ନଂ ୧ ରେ ଥିବା ବିଦ୍ୟାଳୟ ଏକଲବ୍ୟ ମଡେ଼ଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସେ ପାଇଁ ଆଜି ସ୍କୁଲର ଛାତ୍ରମାନେ ଏକତ୍ର ହୋଇ ସ୍କୁଲରୁ ବାହାରି ପ୍ରାୟ ୩ କିଲୋମିଟର ଚାଲିଚାଲି ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ପରେ ସ୍କୁଲର ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଛନ୍ତି। ଖବର ପାଇ ନୂଆପଡ଼ା ଉପ ଜିଲ୍ଲାପାଳ ତରଣୀସେନ ନାଏକ ଧାରଣା ସ୍ଥଳକୁ ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ।
ସ୍କୁଲର ସମସ୍ୟାକୁ ନେଇ କିଛି ଦିନ ତଳେ ଅଭିଭାବକମାନେ ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅଭିଭାବକମାନଙ୍କ ଦାବି ଥିଲା ଯେ ନୂଆପଡ଼ା ସଦର ମହକୁମାର ୩ କିଲୋମିଟର ଦୂରରେ ଏକଲବ୍ୟ ମଡେଲ ସ୍କୁଲ ଅବସ୍ଥିତ ରହିଥିବାରୁ ଏହାର ସୁଯୋଗ ନେଇ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ଯୋଜନାରୁ ଅବହେଳା କରାଯାଇଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ମଧ୍ୟ ସମାଧାନ ହୋଇ ପାରୁନାହିଁ। ବିଦ୍ୟାଳୟର ପିଟିଏ ସଦସ୍ୟ ସହ ଆଦିବାସୀ କଲ୍ୟାଣ ସଂଘର ବ୍ଲକ ସଭାପତି ଓ ବିଦ୍ୟାଳୟର ପିଟିଏ ସମ୍ପାଦକ ଭକ୍ତ ବନ୍ଧୁ ଧାରୁଆ ଓ ସଭାପତି ସନ୍ତୋଷ ମେହେର ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିବା ସହ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି।
ବିଦ୍ୟାଳୟରେ ପାଣି, ଗରମଦିନରେ ପଙ୍ଖା ମରାମତି ସହ ଓଡ଼ିଶାରେ ସମସ୍ତେ ଆଦିବାସୀ ବିଦ୍ୟାଳୟ ଗୁଡ଼ିକରେ କୋଭିଡ ସହାୟତା ରାଶି ମିଳିଲା। ହେଲେ ଏହି ବିଦ୍ୟାଳୟକୁ ମିଳିଲା ନାହିଁ । ସରକାରଙ୍କ ନିୟମ ଅନୁସାରେ ଆଜି ପର୍ଯ୍ୟନ୍ତ ନୂଆ ୬ ଓ ୭ କ୍ଲାସ୍ ର ଛାତ୍ରମାନଙ୍କୁ ପୋଷାକ ସହ ଜୋତା, ବ୍ୟାଗ୍ ଚପଲ୍ ସହ ସହାୟକ ଜିନିଷ ପତ୍ର ମିଳିପାରିନାହିଁ। ଦୂର ଦୁରନ୍ତ ଅଞ୍ଚଳରୁ ଆସୁଥିବା ଅଭିଭାବକ ମାନେ ଖରା, ବର୍ଷାରେ ପିଲାଙ୍କୁ ଭେଟିବାକୁ ଆସିଥାନ୍ତି, ହେଲେ ତାଙ୍କ ପାଇ ଅପେକ୍ଷା କରିବା ପାଇଁ ଗୃହ ନାହିଁ, ଗେଟ୍ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଥାଆନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ