ଜବତ ହେଲା ପାଞ୍ଚକୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଆୟ ବର୍ହିଭୂତ ସଂପତ୍ତି
ଲାଞ୍ଜିଗଡ-ଆୟ ବର୍ହିଭୂତ ସଂପତି ଠୁଳ ଓ ଠକେଇ ମାମଲାରେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଜୟପୁର ଡିଭିଜନ ପକ୍ଷରୁ ଚଢଉ କରାଯାଇଥିଲା । ଆଜି ସକାଳ ଛଅଟାରୁ ଭିଜିଲାନ୍ସର ଦୁଇଟି ସ୍ୱତନ୍ତ୍ର ଟିମ୍ ଏକାଦିକ୍ରମେ ଶ୍ରୀ ସାହୁଙ୍କ ବିଶ୍ୱନାଥପୁର ବାସଭବନ ଓ ଭୁବନେଶ୍ୱର ଡୁମଡୁମାସ୍ଥିତ ବାସଭବନ ସମେତ ବିଶ୍ୱନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ, ପୋଖରୀବନ୍ଧସ୍ଥିତ କ୍ରସର ଓ ଖୋର୍ଦ୍ଧାସ୍ଥିତ ଗୋଟିଏ କ୍ରସର ଉପରେ ଚଢଉ କରାଯାଇଥିଲା । ଦୀର୍ଘ ଅଠର ଘଣ୍ଟାର ମାରାଥନ ଚଢଉ ପରେ ଶ୍ରୀ ସାହୁ ଓ ତାଙ୍କ ପତ୍ନୀ ଶାନ୍ତିପ୍ରିୟା ସାହୁଙ୍କ ପାଖରୁ ପାଞ୍ଚକୋଟି ଟଙ୍କାରୁ ଉର୍ଦ୍ଧ୍ୱ ସ୍ଥାବର ଓ ଅସ୍ଥାବର ସଂପତିର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଥିବା ଜଣାପଡିଛି । ସେଥିମଧ୍ୟରୁ ବିଶ୍ୱନାଥପୁରସ୍ଥିତ ଘରର ମୂଲ୍ୟ ୨୪ ଲକ୍ଷ ୪୩ ହଜାର ଓ ୩ ଲକ୍ଷ ୬୪ ହଜାର ୩୦୦ ଟଙ୍କାର ଆସବାବପତ୍ର, ୨୬୭ ଟଙ୍କା, ଭୁବନେଶ୍ୱରସ୍ଥିତ ଘରର ମୂଲ୍ୟ ୧୬ ଲକ୍ଷ ଟଙ୍କା ଓ ୪ ଲକ୍ଷ ୮ ହଜାର ୬୧୯ ଟଙ୍କାର ଗୃହ ଉପକରଣ, ତାଙ୍କ ପତ୍ନୀ ଶାନ୍ତିପ୍ରିୟା ସାହୁଙ୍କ ନାମରେ ଥିବା ପୋଖରୀବନ୍ଧ କ୍ରସରର ମୂଲ୍ୟ ୩୦ ଲକ୍ଷ, ଖୋର୍ଦ୍ଧାର କ୍ରସର ୟୁନିଟର ମୂଲ୍ୟ ୩୦ ଲକ୍ଷ, ପୋଖରୀବନ୍ଧ ନୂଆ କ୍ରସର ୟୁନିଟର ମୂଲ୍ୟ ୨ ଲକ୍ଷ ୨୫ ହଜାର ଏବଂ ପୋଖରୀବନ୍ଧରେ ଥିବା ୨ ଏକର ୮୬ ଡିସିମିଲ ଜମିର ମୂଲ୍ୟ ୧ ଲକ୍ଷ ୩୧ ହଜାର ୩୦୦ ଟଙ୍କା ରହିଛି । ସେହିପରି ମହିନ୍ଦ୍ରା ଏକ୍ସୟୁଭି-୫୦୦ର ମୂଲ୍ୟ ୧୫ ଲକ୍ଷ, ଟାଟା ସଫାରି ୧୦ ଲକ୍ଷ, ଟାଟା ଟିପର ଗୋଟିଏ ୧୨ ଲକ୍ଷ, ଆରଟି ୧୩ ଲକ୍ଷ, ଦୁଇଟି ଟ୍ରକ ୧୩ ଲକ୍ଷ ଟଙ୍କା ଲେଖାଁଏ, ଗୋଟିଏ ଗ୍ଲାମର, ଗୋଟିଏ ବଜାଜ ପଲସର, ଗୋଟିଏ ସୁପର ସ୍ପେ୍ଲଣ୍ଡର ବାଇକ, ଗୋଟିଏ ସ୍କୁଟି, ଦୁଇଟି ଜେସିବି ମେସିନ୍, ୧ ଲକ୍ଷ ୯୪ ହଜାର ନଗଦ ଅର୍ଥରାଶି ସହିତ ୪ ଲକ୍ଷ ଟଙ୍କାର ବୀମା ରାଶି, ପ୍ରାୟ ୩୫ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ ସଂପର୍କରେ ତଥ୍ୟ ସଂଗ୍ରହ କରିଛି ଭିଜିଲାନ୍ସ । ରାତି ଦଶଟା ସୁଦ୍ଧା ଶ୍ରୀ ସାହୁଙ୍କ ଘରୁ ୫ କୋଟି ୩୬ ହଜାର ୧୯୩ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସଂପତି ଜବତ କରାଯିବା ସହିତ ଅଧିକ ପଚରାଉଚୁରା ପାଇଁ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି । ମିଶାଇ ଅଭିଯୁକ୍ତ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ନାମରେ ବିଶ୍ୱନାଥପୁର ଥାନାରେ ତିନିଗୋଟି ଠକେଇ ମାମଲାରେ ୬ ଲକ୍ଷ ୯୫ ହଜାର ଟଙ୍କାର ଠକେଇ ଓ ଲାଞ୍ଜିଗଡ ଥାନାରେ ୨ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ଯେଉଁ ମାମଲାରେ ସେ ଜେଲ ଯାଇଥିଲେ । ଏହାସହିତ ମହାବିଦ୍ୟାଳୟରେ ବ୍ୟାପକ ହେରଫେର ନେଇ ସ୍ୱତନ୍ତ୍ର ଅଡିଟ ପାଇଁ ଭବାନୀପାଟଣା ଉପଜିଲ୍ଲାପାଳ ସୁପାରିଶ କରିଥିବାବେଳେ ଏନେଇ ସ୍ଥାନୀୟ ଲୋକେ ଓ ଅଭିଭାବକମାନେ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ । ଆଜି ଭୁବନେଶ୍ୱର ଚଢଉରେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ନେତୃତ୍ୱ ନେଇଥିବାବେଳେ ବିଶ୍ୱନାଥପୁର ଚଢଉରେ ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ର ସଦସ୍ୟମାନେ ସାମିଲ ହୋଇଥିଲେ । ବିିଶ୍ଵନଥପୁର ରୁ ସୁଶିଲ ବାଗ ଙ୍କ ରିପୋର୍ଟ।