ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍ଏସବି ଅଧ୍ୟାପକଙ୍କ କଳାବ୍ୟାଚ୍ ପରିଧାନ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଏସ୍ଏସବି ଅଧ୍ୟାପକଙ୍କ କଳାବ୍ୟାଚ୍ ପରିଧାନ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ନବରଙ୍ଗପୁର/୦୯/୦୯/୨୩:-(ମସିହା)ଓଡ଼ିଶା ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ଅଧ୍ୟାପକ ସଂଘର ନିଷ୍ପତ୍ତି ଅନୁସାରେ, ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ମହାବିଦ୍ୟାଳୟ ଓ ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ନିଯୁକ୍ତ ହୋଇଥିବା ଏସ୍ଏସବି ଅଧ୍ୟାପକ ଓ ଅଧ୍ୟାପିକାମାନେ ୫ ଦିନ ହେଲା ଗ୍ରେଡ଼ ପେ ସଂଶୋଧନ ଦାବିରେ କଳାବ୍ୟାଚ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତୀକାତ୍ମକ ପ୍ରତିବାଦ କରିଆସୁଛନ୍ତି। ସୂଚନା ମୁତାବକ; ଗତ ୨୦୧୬ରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟ ସିଲେକ୍ସନ୍ ବୋର୍ଡ଼ (SSB) ଦ୍ବାରା ରାଜ୍ୟରେ ଥିବା ବିଭିନ୍ନ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ଖାଲିଥିବା ଅଧ୍ୟାପକ ପଦ ପୂରଣ କରାଯାଇ ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ଵ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଏହି ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ୪୬୦୦ ଗ୍ରେଡ଼ ପେ ମିଳୁଥିବାରୁ ଏହାକୁ ୫୪୦୦ କୁ ବୃଦ୍ଧି କରିବା ପାଇଁ ଦୀର୍ଘ ଆଠ ବର୍ଷ ଧରି ସରକାରଙ୍କ ନିକଟରେ ଦାବି କରାଯାଇ ଆସୁଥିଲେ ହେଁ ସରକାର ଏ ଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଦୁଃଖର ବିଷୟ। କାରଣ ନିକଟରେ ଗଣଶିକ୍ଷା ବିଭାଗ ଦ୍ଵାରା ଯୁକ୍ତଦୁଇ ଶିକ୍ଷାଦାନ ନିମନ୍ତେ ନିଯୁକ୍ତି ପାଇଥିବା ପି.ଜି.ଟି (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ) ଙ୍କ ଗ୍ରେଡ ପେ ୪୬୦୦ ଥିବାବେଳେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତ ହୋଇଥିବା ଏସ୍ଏସ୍ ବି ଅଧ୍ୟାପକମାନେ ସ୍ନାତକ ଓ ସ୍ନାତକୋତ୍ତର ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକଙ୍କ ଦରମା ସହିତ ସମାନ ଗ୍ରେଡ଼ ପେ ପ୍ରଦାନ କରାଯାଉଥିବାରୁ ସେମାନଙ୍କ ମନରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଉଚ୍ଚତର ଶିକ୍ଷାଗତ ଯୋଗ୍ୟତା ଆଧାରରେ ଉଚ୍ଚଶିକ୍ଷା ଶ୍ରେଣୀ ଶିକ୍ଷାଦାନ ନିମନ୍ତେ ନିଯୁକ୍ତି ପାଇଥିଲେ ମଧ୍ୟ ଅଧସ୍ତନ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀର ବେତନ ସହିତ ସମାନ ଦରମା ପାଉଥିବାରୁ ସରକାରଙ୍କ ନିକଟରେ ୪୬୦୦ ଗ୍ରେଡ଼ ପେ କୁ ସଂଶୋଧନ କରି ୫୪୦୦ କୁ ବୃଦ୍ଧି କରିବା ପାଇଁ ଦାବି କରି ଆସୁଥିଲେ ହେଁ ସରକାର କର୍ଣ୍ଣପାତ କରୁନାହାନ୍ତି । ଏସ୍ଏସ୍ ବି ଅଧ୍ୟାପକମାନଙ୍କ ନାର୍ଯ୍ୟ ଦାବିକୁ ସରକାର ଖୁବ୍ ଶୀଘ୍ର ପୂରଣ ନ କଲେ ଆଗାମୀ ଦିନରେ ସାରା ରାଜ୍ୟରେ କଲମ ଛାଡ଼ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ନବରଙ୍ଗପୁର ଶାଖାର ଜିଲ୍ଲା ସଭାପତି ତଥା ନବରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡକ୍ଟର ଜାହାଙ୍ଗୀର ମହମ୍ମଦ ସୂଚନା ଦେଇଛନ୍ତି ।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ନବରଙ୍ଗପୁର ଶାଖାର ଜିଲ୍ଲା ସଂପାଦକ ପ୍ରଭଞ୍ଜନ ବେହେରା, କୋଷାଧ୍ୟକ୍ଷ ଆଲୋକ କୁମାର ଦାସ, ଉଜ୍ଜଳ ମହାନନ୍ଦିଆ, ସଚିନ ପଣ୍ଡା, ସଂଯୁକ୍ତା ପାଂଗୀ,ବିଜେତା ସୁନାଧର, ପ୍ରଣତୀ ମାଝୀ , ତୁଳସା ଭତ୍ରା,ରଜନୀ ମିଞ୍ଜ୍ , ନିର୍ମଳା ହିକକା , ପ୍ରିୟବ୍ରତ ସାହୁ ,ବିନୟ କୁମାର ମାଝୀ, ଅଶ୍ଵିନୀ କୁମାର ବେହେରା, ଡ଼କ୍ଟର ରୁଦ୍ର ମାଝୀ,ପ୍ରଦୀପ୍ତ ଦାସ, ହରିଶ ଚନ୍ଦ୍ର ଶବର, ପ୍ରମୁଖ ସାମିଲ ହୋଇ ସରକାରଙ୍କୁ ଶୀଘ୍ର ଦାବି ପୂରଣ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆସ ଖୋଜିବା ଓ ସାମାଜିକ ଗଣମାଧ୍ୟମ ଓ ମିଡିଆ ର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଖବର ପରେ ସମାଧାନ ବୈଠକ  

Sunil Chandra Nayak

No-Confidence Motion Brought Against Rayagada Municipality Vice-Chairperson by 19 Councillors

Sunil Chandra Nayak

କୋରାପୁଟ ବିଧାୟକ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବନ୍ଧୁଗାଁ ବ୍ଲକ ଗସ୍ତ ୪ ଟି ସ୍ଥାନରେ ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

Leave a Comment

error: Content is protected !!