ସକାଳର ଜଣାଣ
ବିଜୟ କୁମାର ଜେନା
ମୋ ଦେହ ମନ୍ଦିରେ ବିଜେ ହୋଇଅଛ
କଳାନିଧି କଳାଚାନ୍ଦ
ତୁମରି ଅସ୍ତିତ୍ତ ଅନୁଭବ କରି
ପରଖୁଛି ଭଲ ମନ୍ଦ।
ତୁମ ଲାଗି ପ୍ରଭୁ ମୋ ହୃଦ ମନ୍ଦିର
ନିତି ଲାଗୁଥାଏ ନୂଆ
ସଂସାରର ଯେତେ କଷଟି ପଥରେ
ପାଉଥାଏ ସଦା ରାହା।
ତୁମ ସାଥେ ମୋର ଭାବ କରି କରି
ଅଭାବ ଜାଣେନା ମୁହିଁ
ହାତ ଛାଡ଼ି ଦେଲେ ଅମା ଘୋଟିଯିବ
କୁଳତ ପାଇବି ନାହିଁ।
ତୁମେ ମୋ ପ୍ରାଣର ସୁବାସ ଚନ୍ଦନ
ମନ୍ଦ ମଳୟ ବାଆ
ଜୀବନରେ କିଛି ଦୁଃଖ ଜାଣି ନାହିଁ
ତୁମେ ଏକା ମୋର ସାହା।
ତୁମରି ନାମରେ ଦୁନିଆ ଦାଣ୍ଡରେ
ଆନନ୍ଦେ କାଟଇ ଦିନ
ସେମିତିକା ଥାଆ ହେ କଳା ବଦନ
ମୋ ଜୀବ ପରାଣ ଧନ।