ହୋ ଛାତ୍ର ସଂଘର ବାର୍ଷିକ ସମ୍ମିଳନୀ ‘ସେଏଲମିସା’ ଅନୁଷ୍ଠିତ
ମୟୂରଭଞ୍ଜ -୩/୧୨ ( ମସିହା) ହୋ ଛାତ୍ର ସଂଘ ରାଇରଙ୍ଗପୁର ଶାଖାର ବାର୍ଷିକ ସମ୍ମିଳନୀ ‘ସେଏଲମିସା’ କୁସୁମୀ ବ୍ଲକର ସୁଲେଇପାଟଠାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରତିବର୍ଷ ଏହି ସମ୍ମିଳନୀ ବାମନଘାଟି ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ହୋ ସମାଜର ଯୁବ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସମନ୍ୱୟ, ସହଯୋଗ ସ୍ଥାପନ ସହିତ ହୋ ସମାଜର ସଂସ୍କୃତି, ପରମ୍ପରା ସୁରକ୍ଷା ଏବଂ ନିଜସ୍ୱ ମାତୃଭାଷାର ବିକାଶ ପାଇଁ ହୋ ଛାତ୍ର ସଂଗଠନ ତରଫରୁ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ହୋ ଛାତ୍ର ସଂଗଠନର ରବୀନ୍ଦ୍ରନାଥ ସୟ, ଦୁର୍ଗାଚରଣ କଣ୍ଡାଂକେଲ, ସୁନୀଲ ସୁଣ୍ଡି, ବାଗୁନ ସିଂ ଜାରିକା, କ୍ଷୀରୋଦ ହେମ୍ବ୍ରମ, ହୀରାମଣି ହେମ୍ବ୍ରମ ସତୀରାଣୀ ପୁର୍ତ୍ତି, ଜସ୍ମିନ ସାମାଡ଼, ପ୍ରିୟା କୋଡ଼ା, ଉର୍ମିଳା କଣ୍ଡାଂକେଲ, ଗୀତାରାଣୀ ପିଙ୍ଗୁଆ, ପୂଜା ଗୋଡ଼ସୋରା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ହୋ ସମାଜର ବିଶିଷ୍ଟ ବ୍ୟକ୍ତିବିଶେଷ, ସାମାଜିକ କର୍ମୀମାନେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଲେନ ବାର୍ଦା, ହୋ ସମାଜର ସଂଗଠକ ବାବୁଲୁ ପୁର୍ତ୍ତି, ରାମଚନ୍ଦ୍ର ସୟ, ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ମନୋରଞ୍ଜନ ତିରିଆ ଏବଂ ଗଙ୍ଗାଧର ହେମ୍ବ୍ରମ, ଯୋଡ଼ା ଖଣି ମଣ୍ଡଳର ସହକାରୀ ଖଣି ଅଧିକାରୀ ଇଂଜିନିୟର ଡକ ହେସା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଅତିଥିମାନେ ହୋ ଭାଷା ସରକାରୀ ମାନ୍ୟତା ପାଇଁ ସମସ୍ତଙ୍କର ସହଯୋଗ ଏବଂ ସମସ୍ତେ ହୋ ଭାଷାର ନିଜସ୍ଵ ଲିପି ୱାରାଂଚିତିରେ ଲେଖାପଢ଼ା ଶିଖିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଯୁବଛାତ୍ରମାନେ ନାଗରା ଏବଂ ମାଦଳର ତାଳେ ହୋ ସମାଜର ପାରମ୍ପରିକ ନୃତ୍ୟଗୀତରେ ମଜ୍ଜି ଯାଇଥିଲେ l