୧୧ରେ ଚେତାବନୀ ସାହିତ୍ୟ ସଂସଦର ପୁଷପୁନି ଭେଟଘାଟ –
ସୁଶୀଲ କୁମାର ବାଗ ପାଇବେ କବି ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ
ଭବାନୀପାଟଣା,୦୯/୦୨(ମନିସ)-ଆସନ୍ତା ୧୧ ତାରିଖରେ ଓଡିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ପୁଷପୁନି ଭେଟଘାଟ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ବୋଲି ସଂସଦର ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡା, ସଂଗଠନ ସଂପାଦକ ଯାଦବେନ୍ଦ୍ର ସାହା ସୂଚନା ଦେଇଛନ୍ତି। ଓଡ଼ିଆ ସାହିତ୍ୟ ଜଗତକୁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ଦୁର୍ଗାବତୀ ସ୍ମାରକୀ କଳାହାଣ୍ଡି ସାରସ୍ୱତ ପୁରସ୍କାର ସୁନାମଧନ୍ୟ କବି ପ୍ରଦୀପ କୁମାର ପଣ୍ଡାଙ୍କୁ ଦିଆଯିବ। ସେହିପରି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଦୀର୍ଘଦିନ ଧରି ନିରବଛିନ୍ନ ଲେଖନୀ ଚାଳନା କରି ଆସୁଥିବା କଳାହାଣ୍ଡି ଲାଞ୍ଜିଗଡର ଯୁବ ସାହିତ୍ୟିକ ସୁଶୀଲ କୁମାର ବାଗଙ୍କୁ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ କବି ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୧୧ ତାରିଖରେ କେସିଙ୍ଗାଠାରେ ହେବାକୁ ଥିବା ଏକ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏହାକୁ ନେଇ ସାହିତ୍ୟିକ ମହଲରେ ଖୁସିର ଲହରୀ ଖେଳି ଯାଇଥିବାବେଳେ ଶ୍ରୀ ବାଗଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।