ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ନିଃସର୍ଗ ଜୀବନ ଧାରା 

  ନିଃସର୍ଗ ଜୀବନ ଧାରା 

       ବେଣୁଧର ସୂତାର

ଜୀବନ ବେଦର ପ୍ରଣବ ଓଁକାର
ଅମୃତ ର ମଧୁ ଧାରେ
ପ୍ରେମର ମଧୁର ମୂର୍ଛନା ତୋଳେ
ବିପୁଳ ବିଶ୍ଵ ତୀରେ ।।
ପବିତ୍ର ଉର୍ବୀର ମମତା ନିର୍ଝର
ଅନାବିଳ ସ୍ନେହ ଧାରା
 ଚିରବତ୍ସଳା ତା ଭାବମଧୁରତା
ପ୍ରାଣ ସଞ୍ଜୀବନୀ ଭରା ।।
ପ୍ରାପ୍ତିର ପୁଲକେ ଜୀବନର ବିନ୍ଦୁ
ଭିଜିଯାଏ ତୃପ୍ତି ନୀରେ
ଆଶା ଭରା ଏକ ନିର୍ଝରିଣୀ ସମ
ସପ୍ନିଳ ତରଙ୍ଗ ତୀରେ ।।
ବୟସ ଖେଳଇ ଆୟୁଷର ଦୋଳି
ଢାଳି ପ୍ରୀତି ଅର୍ଘ୍ୟାଞ୍ଜଳି
ବାସ୍ତବ ସ୍ଵପ୍ନର ଭାବ ମୂର୍ଛନାରେ
ସମ୍ମୋହନ ସୁର ତୋଳି ।।
ହୃଦୟବେଳାରେ ଶିହରଣ ଖେଳେ
ମମତା ଅମୃତ ପାନେ
ଆହାକି ମଞ୍ଜୁଳ ଜୀବନର ଖେଳ
କୃପାମୟୀ ଅନୁଦାନେ ।।
କେତେ ଯେ ନିଦାଘ ବରଷା ବସନ୍ତ
ଭାବମୟ ମୁହୂର୍ତ୍ତରେ
ଜୀବନ ଚର୍ଯ୍ୟାର ସୂକ୍ଷ୍ମ ଅନୁଭୂତି
ଅନ୍ତହୀନ ଆବେଗରେ ।।
ସୃଷ୍ଟି ସମଷ୍ଟିର ମୁଗ୍ଧ ଅନୁଭବ
ସମର୍ପିତ ଜୀବନରେ
ସ୍ନେହ ସଂପ୍ରୀତିର ସୁଧା ସମାହାର
ବସୁନ୍ଧୈବ କୁଟମ୍ବରେ ।।
ଅସରା ଆଶିଷ ବହଳ ବିଶ୍ଵାସ
ନିଖିଳର ଅଭିଳାଷ
ଚିର ସୁଖପ୍ରଦା ଏ ମାଟି ବସୁଧା
ବିଶ୍ଵ ପ୍ରାଣ କରେ ତୋଷ ।।
ମହା ବିଶ୍ଵ ଧାତ୍ରୀ ଶ୍ୟମଳ ଧରିତ୍ରୀ
ପ୍ରାଣଦାୟୀ ଚିରନ୍ତନୀ
ଜନ୍ମଜନ୍ମାନ୍ତରେ ପ୍ରାଣେପ୍ରାଣେଭରେ      
ପ୍ରଶାନ୍ତିର ସଞ୍ଜୀବନୀ ।।
ବସୁଧା ଅଙ୍ଗନେ ସୁଧା ମଧୁପାନେ
ନିଃସର୍ଗ ଜୀବନ ଧାରା
ପାବନ ପଣତେ ବାନ୍ଧିଛି ନିରତେ
ଏଜୀବ ଜଗତ ସାରା ।।

କେଶ ଦୁରା ପାଳ, କେନ୍ଦୁଝର

Related posts

ଆନନ୍ଦପୁର – ସମାଜସେବା ରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟଦୁର୍ଗା ଫାଉଣ୍ଡେସନ ଅଧ୍ୟକ୍ଷାରାଜଧାନୀ ଦିଲ୍ଲୀ ରେ ପୁରସ୍କୃତ

ପୂଜା ଜ୍ୱେଲସ ଦୋକାନୀ ହାତରୁ ଅଳଙ୍କାର ବ୍ୟାଗ ଲୁଟି ନେଲେ ଦୁର୍ବୃତ୍ତ

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ

Leave a Comment

error: Content is protected !!