Uncategorizedବେଣୁଧର ସୂତାର ଙ୍କ କବିତା l l l ଗୋଧୂଳି l l l by Sunil Chandra NayakDecember 22, 2022060 Share0 l l l ଗୋଧୂଳି l l l ବେଣୁଧର ସୂତାର ଅନନ୍ତ ବିଶ୍ବର ଆରାଧ୍ୟ ଈଶ୍ବର ଦୂର ଚକ୍ରବାଳେ ବିରାଜିତ ବାରୁଣୀ ଦିଗନ୍ତ ଶୋଭା ପ୍ରାଣବନ୍ତ ଅସ୍ତରାଗ ଝରା ମରକତ ଗୋଧୂଳି ଲଗନ ଶୋଭାବନ ବର୍ଣ୍ଣମୟ ଛବି ବର୍ଣ୍ଣିଳ ପୃଥିବୀ ଅସ୍ତଗାମୀ ଦେବ ବିକର୍ତ୍ତନ ।। ଗୋଧୂଳି ର ରଙ୍ଗ ଲୋହିତ ତରଙ୍ଗ ମଧୁର ପ୍ଳାବନ ଛାୟାଲୋକ ସାନୁମାନ ଶିରେ ସ୍ବର୍ଣ୍ଣ ସିଂହାସନ ଚାରୁ ଚନ୍ଦ୍ରତାପ ବଳାହକ ବିଭାକର ବିଭା ଅନ୍ତରାଳ ମିଠା ଅନୁଭୂତି ବର୍ଣ୍ଣର ବିଭୂତି ମାୟାପୁରୀ ଆହା ସାଂୟକାଳ ।। ଗୋକୁଳୁ ଫେରନ୍ତି ଗୋଧନ ଗୋପାଳେ ବିମୁଗ୍ଧ ମୁରଲୀ ମଧୁସ୍ବନ ଗୋଧୂଳି ଉଠୁଛି ସୁନୀଳ ଅମ୍ବରେ ବ୍ୟସ୍ତ ନୀଡଫେରା ପକ୍ଷୀ ମାନ ଛନ୍ଦମୟ ତାନ ବୃନ୍ଦଗାନ ଦିନାବସାନର ବାରତା ଦେଲାଣି ନୀଳାକାଶେ ମ୍ଳାନ ନୀଳଜହ୍ନ ।। ରଜନୀ ଆସିବ ଧରଣୀ ବକ୍ଷକୁ ପିନ୍ଧି କଳାମେଘି ପାଟଶାଢି ବାଡି ଅଗଣାରେ ଫୁଟିଲେଣି ଜହ୍ନି କାକୁଡ଼ି ଫୁଲତ ଧାଡିଧାଡି ସ୍ବାଗତ ପାଇଁ କି ବିଭାବରୀ ଚଉଁରା ମୂଳରେ ମୁଗ୍ଧାପଲ୍ଲୀବଧୂ ଭକ୍ତିଅର୍ଘ୍ୟଥାଳି କରେ ଧରି ।। ଗୋଧୂଳିରଶୋଭା ଅତିମନଲୋଭା ଅନୁରାଗ ରଙ୍ଗ ଧରା କୋଳେ ସବୁ ପ୍ରତୀକ୍ଷାର ଅବସାନେ ଅବା ଅସ୍ତମିତ ଭାନୁ ଅସ୍ତାଚଳେ ଛାୟା ବିଳାସର ନୀଳମାୟା ସ୍ବପ୍ନଭରା ଏଇ ମଧୁର ଲଗନେ ବିରହ ବିଧୁରା ଭାନୁପ୍ରିୟା ।। ଜଳି ଉଠିଲାଣି ମାଣିକ ଦିହୁଡି ମନ୍ଦିରୁ ଶୁଭିଲା ଘଣ୍ଟଧ୍ବନି ଦୂର ତପୋବନ ବକୁଳାଶ୍ରମରୁ ବେଦଧ୍ବନି କଲେ ଯତି ମୁନି ମୁଗ୍ଧ ଅନୁଭବ ଗୋଧୂଳିର ଶାଶ୍ବତ ସୁନ୍ଦର ମଧୁର ଧାରାର ଚିରନ୍ତନୀ ସ୍ରୋତ ପ୍ରକୃତିର ।। ସହକାର କୁଞ୍ଜ ତରୁଶାଖା ତଳୁ କୋକିଳ ଡାକିଲା କୁହୁ କୁହୁ ନୀଳନଭ କୋଳୁ ନୀଳ ନୟନରେ ସନ୍ଧ୍ୟା ତାରା ଚାହେଁ ମୁର୍ହୁ ମୁର୍ହୁ ଚଇତି ଚାନ୍ଦିନୀ ଭିଜା ରାତି ବିଭାବରୀ ଅନ୍ତେ ଆସିବ ପ୍ରଭାତେ ଧରାବକ୍ଷେ ପଣା ସଂକରାନ୍ତି ।। କେଶଦୁରାପାଳ କେନ୍ଦୁଝର