ମ.ରାମପୁର: ୧୭/୪(ମସିହା) ସ୍ବାସ୍ଥ୍ୟ ସେବାରୁ ଯେମିତି ଜଣେ କେହି ବଞ୍ଚିତ ନହେବେ ସେନେଇ ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା ଗୁଡିକ ହାତକୁ ନେଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। କିନ୍ତୁ ରାଜ୍ୟରେ ଏଭଳି ଅନେକ ଗାଁ ରହିଛି ଯେଉଁଠିକି ଆଜି ବି ସ୍ୱାସ୍ଥ୍ୟ ସେବା ଅପହଞ୍ଚ ହୋଇ ପଡିଛି l ପରିତାପର ବିଷୟ ଯେ ସେଇ ଗାଁ ଗୁଡିକରେ ଆଜିବି ମଟରସାଇକଲରେ କିମ୍ବା ଚାରିଚକିଆ ଗାଡ଼ି ଟେ ଯିବାକୁ ରାସ୍ତା ତିଆରି ହୋଇ ପାରିନାହିଁ l ଫଳରେ କୌଣସି ଜରୁରୀ କାମ ରେ ହେଉ କି ଗୁରୁତର ଅବସ୍ଥାରେ ଥିବା ରୋଗୀ ଟେ ସ୍ବାସ୍ଥ୍ୟ କେନ୍ଦ୍ର ଯାଏଁ ଯିବାକୁ ବାଟ ପାଉନାହିଁ। ତାଛଡ଼ା ଏହି ବଣ ଜଙ୍ଗଲ ଘେରା ଅଞ୍ଚଳ ରେ ଆଉ ଏକ ମୌଳିକ ସମସ୍ୟା ଭାବରେ ଉଭା ହୋଇଛି ନେଟୱାର୍କ ସେବା ଯାହା ସେଠାକାର ଲୋକଙ୍କ ପାଇଁ ସାତ ସପନ । ଫଳରେ ଜରୁରୀ ସମୟରେ କାହାକୁ ଫୋନ୍ ଯୋଗେ ଯୋଗାଯୋଗ କରି ହୁଏନି l ଠିକ୍ ସମୟରେ ରୋଗୀଟିଏ ଡାକ୍ତରଖାନାରେ ପହଂଚି ନପାରି ଅକାଳରେ ଜୀବନ ଚାଲି ଯାଉଛି। ଏଭଳି ସମସ୍ୟା ଦେଖାଦେଇଛି : କଳାହାଣ୍ଡି ଜିଲ୍ଲା ମଦନପୁର – ରାମପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ଦେଢ଼ସୁଲି ଗ୍ରାମ ପଞ୍ଚାୟତ ର ଦାମାଡ଼ି ଗାଁ ର ସଙ୍କୀର୍ତ୍ତନ ମାଝୀ ଙ୍କ ପରିବାର ରେ । ପ୍ରାପ୍ତ ସୂଚନା ମତେ, ଦୁଇ ଦିନ ତଳେ ଉକ୍ତ ଗାଁ ର ସଙ୍କୀର୍ତ୍ତନ ମାଝୀ ଙ୍କ ସ୍ତ୍ରୀ କୁଟାମୀ ମାଝୀ (୨୫) ନିଜ ଘରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଛୁଆ ଜନ୍ମ ହେବାର ୨୪ ଘଣ୍ଟା ପରେ କୌଣଷି କାରଣ ବଶତଃ ଶିଶୁ କନ୍ୟା ଟିର ମୃତ୍ୟୁ ଘଟିଥିଲା। ଅନ୍ୟପଟେ କୁଟାମୀ ମାଝୀ ଙ୍କ ଗର୍ଭାଶୟ ରୁ ପ୍ରଚୁର ରକ୍ତସ୍ରାବ ହେବା ଫଳରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଉକ୍ତ ମହିଳାଙ୍କୁ ନେଇ ପରିବାର ଲୋକେ ଏକ ବାଉଁଶ ଦୋଳା ସାହାଯ୍ୟରେ ଘଞ୍ଚ ଜଙ୍ଗଲ ପଥର ର ପାଦଚଲା ରାସ୍ତା ଦେଇ ପ୍ରାୟ ୭ କିମି ଗଣ୍ଡପଦର ଗାଁ ର ପୂର୍ତ୍ତ ବିଭାଗ ରାସ୍ତା ଯାଏଁ ବୋହି ଆଣିଥିଲେ। ଏହି ଖବର ପାଇ ଉକ୍ତ ଅଞ୍ଚଳ ର ଜଣେ ସମାଜସେବୀ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠେଇବାର ବ୍ୟବସ୍ତା କରିଦେଇଥିଲେ। ଏପଟେ କୁଟାମୀ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦେଖି ଡାକ୍ତର ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ। ବର୍ତମାନ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ତା ସ୍ଵାଭାବିକ ଥିବା ଜଣାପଡିଛି। ଏଣୁ ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ପ୍ରତିନିଧିଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ସହ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଙ୍କ ମୌଳିକ ସମସ୍ୟା ର ସମାଧାନ ଦିଗରେ ଚେଷ୍ଟିତ ହେବାକୁ ଦାବୀ କରିଛନ୍ତି l
ପରମାନନ୍ଦ ବିଶି, ମ. ରାମପୁର, କଳାହାଣ୍ଡି l