ସବୁଠୁ ସୁନ୍ଦର
ଜ୍ୟୋତ୍ସ୍ନା ରାଣୀ ଦେବୀ
ସବୁଠୁ ସୁନ୍ଦର ଆରାମଦାୟିନୀ
ତୋ କୋଳଝୁଲଣା ମାଆ
ସବୁ ବିପତ୍ତିର ଆଗରେ ଉଭା ଗୋ
ତୋହରି ମମତା ନାଆ ।
ତୋ ହାତ ପରଷା ସମ ତୁଲ କିବା
ହେବକି ସରଗ ସୁଧା
ପେଟ ପୁରିଯାଏ ମନ ଭରିଯାଏ
ନ ଲାଗେ ବନ୍ଧନ ବାଧା ।
ରକତ ସୁଅରେ ସେନେହ ମୁହଁରେ
ଦେଉଥାଉ ସଦା ରାହା ।
ସବୁଠୁ ସୁନ୍ଦର………..
ବିଶାଳ ହୃଦୟ ହେଉଲୋ ସଦୟ
ରାଗରୁଷାକୁ ଭୁଲାଇ
ଅଳିଅଝଟ ତ ସବୁ ସହିଯାଉ
ତୋହପରି କେହି ନାହିଁ ।
ମୋ ସୁଖ ପାଇଁକି ତୋ ଛାତିତଳରୁ
ଜଳାଇ ଦେଉଲୋ ନିଆଁ ।
ସବୁଠୁ ସୁନ୍ଦର………
ମନର ବେଦନା କରୁ ତୁ କଳନା
କିଏତ ପାରେନି କରି
ଝରିବା ଆଗରୁ ମୋ ଜୀବକଳିକା
ତୁହି ତ ଯାଉଲୋ ଝରି ।
ତୋହରି ପଣତ ଶ୍ରୀମନ୍ଦିର ନେତ
ହେଉଥାଏ ସଦା ସାହା ।
ସବୁଠୁ ସୁନ୍ଦର…….
ଉଷୁମ କୋଳ ତୋ ଦେବଙ୍କୁ ଦୁର୍ଲ୍ଲଭ
ତୋର ମିଠାମିଠା କଥା
ହରିନିଏ ଦୁଃଖ ଭରିଦିଏ ସୁଖ
ଝୁମିଯାଏ ଆଖିପତା ।
ସୁଖର ସାଗର ଅତଳ ମୋତି ତୁ
ମୋ ପାଶରେ ସଦା ଥାଆ ।
ସବୁଠୁ ସୁନ୍ଦର……