ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଗୁରପାଣିରେ ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ’ କାର୍ଯ୍ୟକ୍ରମ : ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ମାଗୁରପାଣିରେ ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ’ କାର୍ଯ୍ୟକ୍ରମ : ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା’ ଅଭିଯାନ ଅନ୍ତର୍ଗତ ‘ଗାଁ ପରିମଳ ଗାଁ ମୁଣ୍ଡରୁ’ କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ା ବ୍ଲକର ମାଗୁରପାଣି ଗ୍ରାମରେ ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ’ ଅଭିଯାନ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନ ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ ଏବଂ ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।

ଗ୍ରାମ ପ୍ରବେଶ ପଥରେ ଅତିଥିମାନଙ୍କୁ ସ୍ୱାଗତ କରାଯିବା ପରେ ଗ୍ରାମବାସୀ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଓ ଯୁବବର୍ଗଙ୍କ ସହଯୋଗରେ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ ଓ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଗ୍ରାମର ବୟସ୍କ ବ୍ୟକ୍ତିମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଗୁରପାଣିରେ ଆୟୋଜିତ ସଭାରେ ଛାତ୍ରୀମାନେ ସଂସ୍କୃତ ଶ୍ଳୋକ, ପୁଷ୍ପତିଳକ ଓ ଗାଇଡ୍ ଦଳର ବାଦ୍ୟବାଦନ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଦୀପ୍ତ କୁମାର ରଥ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗ୍ରାମର ବରିଷ୍ଠ ବ୍ୟକ୍ତିମାନଙ୍କ ପକ୍ଷରୁ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଅବସରପ୍ରାପ୍ତ ଶିକ୍ଷକ ମିତ୍ରଭାନୁ ରାଉତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିବାବେଳେ ଟ୍ୱିଙ୍କଲ ସାହୁ ଗ୍ରୁପ୍ ପକ୍ଷରୁ ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନ ଉପରେ ସଚେତନତାମୂଳକ ସଙ୍ଗୀତ ପରିବେଷଣ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ତେଶ୍ୱରୀ ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବାବେଳେ କ୍ରୀଡ଼ା ଶିକ୍ଷକ ମହତାବ ଆଡଜୁଆଡ଼ ବିଦ୍ୟାଳୟର କ୍ରୀଡ଼ା ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।

ଜିଲ୍ଲା ସ୍ୱଚ୍ଛତା ସଂଯୋଜକ ଅନିଲ କୁମାର ଲେଙ୍କା ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ର କୁପ୍ରଭାବ ସମ୍ପର୍କରେ ସଚେତନ କରାଇ ବିକଳ୍ପ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଘନଶ୍ୟାମ ଭୋଇ ପରିବେଶ ସୁରକ୍ଷାରେ ସାମୂହିକ ଦାୟିତ୍ୱ ପାଳନର ଆବଶ୍ୟକତା ଉଲ୍ଲେଖ କରିଥିଲେ।

ଏହି ଅବସରରେ ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ହାସଲ କରିଥିବା ଡୋମେଶ୍ୱରୀ ସାହୁ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତର ପାଇଁ ମନୋନୀତ ହୋଇଥିବା ପ୍ରିୟଙ୍କା ରଥଙ୍କୁ ଜିଲ୍ଲାପାଳ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ସେହିପରି ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା’ ଅଭିଯାନର ସଫଳ ନେତୃତ୍ୱ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା।

ଶେଷରେ ଶିକ୍ଷକ ହେମସାଗର ସାହୁ ସମୂହ ସ୍ୱଚ୍ଛତା ଶପଥ ପାଠ କରାଇଥିବାବେଳେ ସରପଞ୍ଚ ପ୍ରତିନିଧି ରୋହିତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ବୋଇରଭାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ରାଉତ, ଅବସରପ୍ରାପ୍ତ ଶିକ୍ଷକ ମିତ୍ରଭାନୁ ରାଉତ, ସରପଞ୍ଚ ପ୍ରତିନିଧି ରୋହିତ କୁମାର ରାଉତ, ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ତେଶ୍ୱରୀ ସାହୁ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।

Related posts

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ବ୍ଲକ ଗ୍ରାଣ୍ଟ ହେବା ପରେ ବି ପରିଚାଳନା ରେ ଅସଂଗତି 

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନାଚକ୍ର

Sunil Chandra Nayak

ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!