ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଦାୟିତ୍ୱ ଗ୍ରହଣ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ସହ ଗଣମାଧ୍ୟମକୁ ସୂଚନା ପ୍ରଦାନ

ନୂତନ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଦାୟିତ୍ୱ ଗ୍ରହଣ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ସହ ଗଣମାଧ୍ୟମକୁ ସୂଚନା ପ୍ରଦାନ

ଜିଲ୍ଲାର ସାମଗ୍ରିକ ବିକାଶ, ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଓ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନକୁ ପ୍ରାଥମିକତା

ନବରଙ୍ଗପୁର,:(୧୩ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ପ୍ରଶାସନିକ ଦାୟିତ୍ୱ ଗ୍ରହଣ କରିବା ପରେ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ମଧୁମିତା, ଆଇଏଏସ୍‌, ଜିଲ୍ଲାର ଉନ୍ନୟନମୂଳକ ପ୍ରକଳ୍ପ, ଜନକଲ୍ୟାଣକାରୀ ଯୋଜନା ଓ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବା ସହ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଜନାଭିମୁଖୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସରକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା, ଗ୍ରାମୀଣ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଓ ଶିକ୍ଷାର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ତାଙ୍କର ପ୍ରମୁଖ ପ୍ରାଥମିକତା ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଓଡ଼ିଶା ସରକାରଙ୍କ ସାମ୍ପ୍ରତିକ ପ୍ରଶାସନିକ ଅଦଳବଦଳ ପରିପ୍ରେକ୍ଷୀରେ ୨୦୨୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀମତୀ ମଧୁମିତା ନବରଙ୍ଗପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ହରିୟାଣାର ବାସିନ୍ଦା ଶ୍ରୀମତୀ ମଧୁମିତା ବିବିଏ ଏବଂ ପବ୍ଲିକ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ବ୍ୟାପକ ପ୍ରଶାସନିକ ଓ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ରହିଛି। ପୂର୍ବରୁ ସେ ବାଲିଗୁଡ଼ାର ଉପଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି।ଶ୍ରୀମତୀ ମଧୁମିତା ଦାୟିତ୍ୱ ଗ୍ରହଣ କରିବା ପରେ ତୁରନ୍ତ ଜିଲ୍ଲାର ବିଭିନ୍ନ ବିଭାଗର ମୁଖ୍ୟ ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ନବରଙ୍ଗପୁର ଜିଲ୍ଲାରେ ଚାଲୁଥିବା ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ, ଜନକଲ୍ୟାଣକାରୀ ଯୋଜନା ଏବଂ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଥିଲେ।ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଠିକ୍ ଓ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ସେ ଗୁରୁତ୍ୱାରୋପ କରିବା ସହ ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା, ନିୟମିତ କ୍ଷେତ୍ର ପରିଦର୍ଶନ କରିବା ଏବଂ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସମୀକ୍ଷା ବୈଠକ ପରେ ଶ୍ରୀମତୀ ମଧୁମିତା ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ନିଜର ପ୍ରଶାସନିକ ପ୍ରାଥମିକତା ସମ୍ପର୍କରେ ସୂଚନା ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର ସାମଗ୍ରିକ ବିକାଶ ଏବଂ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ତାଙ୍କର ପ୍ରମୁଖ ପ୍ରାଥମିକତା ରହିବ ବୋଲି ସେ କହିଥିଲେ।ଗଣମାଧ୍ୟମ ସହ ଆଲୋଚନା ସମୟରେ ସେ କହିଥିଲେ, “ଆମର ପ୍ରାଥମିକ ଲକ୍ଷ୍ୟ ହେଉଛି ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ଥିବା ଲୋକଙ୍କ ନିକଟରେ ସହଜରେ ପହଞ୍ଚିପାରିବ, ତାହା ସୁନିଶ୍ଚିତ କରିବା। ଗ୍ରାମୀଣ ଭିତ୍ତିଭୂମିର ବିକାଶ, ସ୍ୱାସ୍ଥ୍ୟସେବାର ଉନ୍ନତି ଏବଂ ଶିକ୍ଷା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବୁ। ଏଥିସହ ଜନସାଧାରଣଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ସର୍ବଦା ସୁଗମ ଓ ସହଜଲଭ୍ୟ ରଖାଯିବ।”ନୂତନ ଜିଲ୍ଲାପାଳଙ୍କ ଯୋଗଦାନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟି ଏବଂ ବିଶ୍ୱଜିତ ବର୍ମନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବି ଏନ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଘର ସର୍ଭେରେ ଅଙ୍ଗନ ବାଡ଼ି କର୍ମୀଙ୍କୁ ପ୍ରଶାସନିକ ଅଧିକାରୀ ଦୁର୍ବ୍ୟବହାର ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ କଲେ ଅଙ୍ଗନବାଡ଼ି କର୍ମୀ ସଂଘ 

Sunil Chandra Nayak

ମୁକ୍ତିଲାଭ କଲା ମାଳିପୁଟ ମେଲୋଡିସ୍‌ 

Sunil Chandra Nayak

ପ୍ରାକୃତିକ ଓ ଜୈବିକ ଚାଷ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!