ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭ ଆୟୋଜନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ନବରଙ୍ଗପୁର:( ୧୩ ଅକ୍ଟୋବର ୨୦୨୬:)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେତା ସମ୍ମିଳନୀ କକ୍ଷରେ ଆଜି ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭ (Viksit Bharat Young Leaders Dialogue–2027) ଆୟୋଜନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି ଅଧ୍ୟକ୍ଷତା କରିଥିଲେ।ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍ ହେଉଛି ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର ହେବା ପାଇଁ ସୁଯୋଗ ପ୍ରଦାନ କରୁଥିବା ଏକ ଜାତୀୟସ୍ତରୀୟ ମଞ୍ଚ। ଏହି ମଞ୍ଚ ମାଧ୍ୟମରେ ଯୁବପିଢ଼ି ନିଜର ଚିନ୍ତାଧାରା, ଦୃଷ୍ଟିକୋଣ ଓ ଅଭିନବ ସମାଧାନର ପ୍ରସ୍ତାବ ଉପସ୍ଥାପନ କରି ‘ବିକଶିତ ଭାରତ’ ଗଠନର ଲକ୍ଷ୍ୟ ହାସଲ ଦିଗରେ ନିଜର ଅବଦାନ ରଖିପାରିବେ।ବୈଠକରେ ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ବିଭିନ୍ନ ପ୍ରସ୍ତୁତିମୂଳକ ପଦକ୍ଷେପ ଓ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଚ୍ୟାଲେଞ୍ଜ ଟ୍ରାକ୍ ଓ ସାଂସ୍କୃତିକ ଟ୍ରାକ୍ ଭିତ୍ତିକ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକଳାପ ଆସନ୍ତା ୨୮ ଅକ୍ଟୋବରରୁ ୩୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମଗୁଡ଼ିକର ସୁଚାରୁ ପରିଚାଳନା ଓ ମୂଲ୍ୟାଙ୍କନ ନିମନ୍ତେ ବିଭିନ୍ନ ବିଚାରକ ମଣ୍ଡଳୀ ସଦସ୍ୟଙ୍କୁ ମନୋନୀତ କରାଯାଇଛି।ଜିଲ୍ଲାର ଅଧିକରୁ ଅଧିକ ଯୁବକଯୁବତୀଙ୍କୁ ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରଚାରପ୍ରସାର ଓ ସଚେତନତା ସୃଷ୍ଟି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ୧୫ରୁ ୨୯ ବର୍ଷ ବୟସ ବର୍ଗର ଯୁବକ ଯୁବତୀମାନେ MyBharat ପୋର୍ଟାଲ୍ରେ ପଞ୍ଜୀକରଣ କରି ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ।ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ନବସୃଜନ, ସୃଜନଶୀଳତା ଓ ଦେଶ ଗଠନ ପ୍ରତି ଦାୟିତ୍ୱବୋଧ ବୃଦ୍ଧି କରିବା ସହିତ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅଭିଯାନରେ ଜିଲ୍ଲାର ଯୁବବର୍ଗ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ଏହି ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ସତ୍ୟଜିତ ଗାହାଣ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, my bharat ର ଜିଲ୍ଲା ଅଧିକାରୀ ହିମାଂଶୁ ଶର୍ମା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

