ଲାଞ୍ଜିଗଡ଼,୩୦/୦୫( ମ ନି ସ)-ଆଜି ସକାଳୁ ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡା ଗ୍ରାମପଞ୍ଚାୟତ କାରକୋଲି ଗାଁରେ ଥିବା କାଜୁବାଦାମ ବଗିଚାକୁ କାଜୁ ଖାଇବାକୁ ଯାଇଥିବାବେଳେ ଆମ୍ବଝରି ଗାଁର ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଆଜି ସକାଳୁ ଆମ୍ବଝରି ଗାଁର ଚାରିଜଣ ମହିଳା କାରକୋଲିଠାରେ ଥିବା ଜଣେ ଚାଷୀଙ୍କ କାଜୁବାଦାମ ବଗିଚାକୁ ଯାଇ ସେଠାରେ କାଜୁ ସଂଗ୍ରହ କରୁଥିଲେ । ତିନିଜଣ ଗଛ ଚଢିଥିବାବେଳେ ଆମ୍ବଝରି ଗାଁର ଫୁଲ ମାଝୀ(୧୮) ନାମକ ଯୁବତୀ ତଳେ ଥିଲେ । ଏହି ସମୟରେ ତାଙ୍କ ପଛପଟୁ ଆସି ଏକ ଘାଇଲା ବାରହା ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା । ବାରହା ଆକ୍ରମଣ ଦେଖି ଫୁଲଙ୍କ ସମେତ ତାଙ୍କ ସହିତ ଥିବା ଅନ୍ୟ ତିନିଜଣ ମହିଳା ଚିତ୍କାର କରିବା ଫଳରେ ବାରହାଟି ଜଙ୍ଗଲ ଆଡକୁ ପଳାଇଯାଇଥିଲା । ଏ ସଂପର୍କରେ ଖବର ପାଇ ତାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଲାଞ୍ଜିଗଡରୋଡ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବାବେଳେ ସେଠାରେ ଡାକ୍ତର ଅକ୍ଷୟ କୁମାର ଗୋଚ୍ଛାୟତ, ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଲଳିତ ପଧାନ ପ୍ରମୁଖ ତାଙ୍କୁ ଚିକିତ୍ସା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ସିକେରକୁପା ଫରେଷ୍ଟର ଭାଗିରଥୀ ନାଏକ, ଖିକ୍ସାଭଟା ଫରେଷ୍ଟ ଗାର୍ଡ ଶାନ୍ତଲତା ପାଢୀ ପ୍ରମୁଖ ପହଞ୍ଚିବା ସହିତ ଗୁରୁତର ଫୁଲଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।