ନିଆରା ଭାବର ସ୍ମୃତି
ସୁରେନ୍ଦ୍ର କୁମାର ବେହେରା
ଦୂରେ ବହୁଦୂରେ କଇଁ ଥାଇ ଝୁରେ
ଆକାଶରେ ଦେଖି ଜହ୍ନ
ନିଆରା ସମ୍ପର୍କ ପ୍ରୀତିର ପୁଲକ
ଭାବରେ ଭରିଛି ମନ ।1।
ପୋଖରୀରେ କଇଁ ରହିଥାଏ ଚାହିଁ
ଆଖିରେ ପ୍ରୀତିର ନିଶା
ଆକାଶରେ ଜହ୍ନ ଯେବେ ଉଇଁଆସେ
ଅନାବିଳ ପ୍ରେମଭାଷା ।2।
ସୃଷ୍ଟି ଆରମ୍ଭରୁ ଦୁହିଁଙ୍କର ପ୍ରେମ
ଚିର ଶାଶ୍ୱତ ଅମର
ଅମଳିନ ସଦା କବି କଳ୍ପନାରେ
ତୁଳନା ନାହିଁ ପ୍ରେମର ।3।
କଇଁ ବିନା ଚାନ୍ଦ ଜୀବନ ଅଧୁରା
ଚାନ୍ଦକୁ ଝୁରଇ କଇଁ
ଦୁହେଁ ଦୁହିଁଙ୍କର ନିକଟ ହେବାକୁ
ସଦା ରହିଥାନ୍ତି ଚାହିଁ ।4।
କବି ଲେଖନୀରେ ସେଭାବ ବର୍ଣ୍ଣିବା
ଯଦିଓ ସହଜ ନୁହେଁ
ଚାହାଣି କହୁଛି ପ୍ରେମର କାହାଣୀ
ଇସାରାରେ ପ୍ରେମ ହୁଏ ।5।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର