ଆତ୍ମଦାହ
ଆଉ ହାତ ଠାରି
ଡାକନାହିଁ ମତେ
ଯିବାକୁ ପଛକୁ ଫେରି
ଆଖି ଭିଜିଗଲା
ଲୁହରେ ଲୁହରେ
ସପନ ବି ଗଲା ଝରି.
ଲିଭାଇ ଦେଇଛି
ଲେଖିଥିଲି ଯାହା
ଛନ୍ଦ ଭରା ପ୍ରୀତିକାବ୍ୟ
ଉଡାଇ ଦେଇଛି
ମନ ସିନ୍ଧୁକରୁ
ସ୍ମୃତିର ଗୋଲାପୀ ଫର୍ଦ.
ସଜାଡି ଦେଇଛି
ପୃଷ୍ଠା ପରେ ପୃଷ୍ଠା
ଜୀବନର ଇତିହାସ
କ୍ଷତାକ୍ତ ହୃଦୟୁ
ଝରିବନି ଆଉ
ପ୍ରଣୟର ଅନୁପ୍ରାସ.
ଜହ୍ନର ଜୋଛନା
ଆଉ ଲୋଡ଼ା ନାହିଁ
ଇଚ୍ଛା ନାହିଁ ଭିଜିବାକୁ
ଶ୍ରାବଣ ବରଷା
ଶୀତଳ ପରଶେ
ଚାହେଁନାହିଁ ହଜିବାକୁ.
ଆଉ ଡାକ ନାହିଁ
ହାତ ଠାରି ମତେ
ବେଦନା ଭରିଛି ହୃଦେ
ସମ୍ଭାଳି ନେଇଛି
ହୃଦୟ ଯନ୍ତ୍ରଣା
ଅଗଣତି ଅବସାଦେ.
ପୂର୍ଣ୍ଣାହୁତି ପରେ
ପାଉଁଶ ଦେହରେ
ଆଙ୍କନାହିଁ ମୋର ଛବି
ଭଗ୍ନ ଶିଳାଲିପି
ଅସ୍ପଷ୍ଟ କାହାଣୀ
ରଙ୍ଗହୀନ ପ୍ରତିଛବି.
ଜଳୁଛି ଜୀବନ
ସଳିତା ପରାଏ
ସପନ ତା ସାଥେ ଜଳେ
ମିଛ ହସ ହସି
ଅଭିନୟ କରି
ଚାଲିଛି ସଭିଙ୍କ ମେଳେ.
ଆଉ ଡାକ ନାହିଁ
ହାତ ଠାରି ମତେ
ଯିବାପାଇଁ ସାଥୀ ହୋଇ
ବଦଳି ଯାଇଛି
ପରିଚୟ ମୋର
ଅଜଣା ବାଟ ବାଟୋଇ.
ସୁଜାତା ଦାସ
ବାଲେଶ୍ୱର