ରାଉରକେଲା/ ସଡକ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଦିଆଯାଉଥିବା ନିଶୁକ୍ଲ ଚିକିତ୍ସା ଯୋଜନା (ଏଫଟିଟିଏଫ)ରେ ସୁନ୍ଦରଗଡ ଜିଲ୍ଲା ସମେତ ରାଜ୍ୟର ଅଧିକ ଚିକିତ୍ସାଳୟ ସାମିଲ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପତ୍ର ଲେଖିଛନ୍ତି । ପତ୍ରରେ ଶ୍ରୀ ରାୟ ଦର୍ଶାଇଛନ୍ତି ଯେ ଏହି ଯୋଜନାରେ ସାମିଲ ହୋଇଥିବା ୯ଟି ଚିକିତ୍ସାଳୟ ମଧ୍ୟରୁ ୭ ଟି ଭୁବନେଶ୍ବରେ ଓ ଗୋଟିଏ ଲେଖାଏଁ କଟକ ଓ ରାଉରକେଲାରେ ଚିକିତ୍ସାଳୟ ରହିଛି । ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ୪୮ଘଣ୍ଟା ମଧ୍ୟରେ ଚିକିତ୍ସା ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନା ଏକ ଉତ୍ତମ ଯୋଜନା ହୋଇଥିବାରୁ ଏହି ଯୋଜନାରେ ଅଧିକ ଚିକିତ୍ସାଳୟ ସାମିଲ କରିବାର ଆବଶ୍ୟକତା । ସୁନ୍ଦରଗଡ ଜିଲ୍ଲାରେ ଜନସଂଖ୍ୟା ୨୩ଲକ୍ଷ ରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହି ଜିଲ୍ଲାରେ ଗୋଟିଏ ମାତ୍ର ଚିକିତ୍ସାଳୟ ଏହି ଯୋଜନାରେ ସାମିଲ ହୋଇଛି । ରାଉରକେଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ପାଇଁ ଅର୍ଥ ଡିଏମଏଫ ପାଣ୍ଠିରୁ ଆସୁଛି । ତେଣୁ ରାଉରକେଲା ସହ ସୁନ୍ଦରଗଡରେ ଏହି ଯୋଜନାକୁ ଅଧିକ ସଂପ୍ରସାରିତ କରିବା ସହିତ ପ୍ରତି ଜିଲ୍ଲାରେ ଅନ୍ତତଃ ଦୁଇଟି ଚିକିତ୍ସାଳୟକୁ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀ ରାୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାସହିତ ରାଜ୍ୟ ସରକାର ହକି ସମେତ ଅନ୍ୟ କ୍ରୀଡା ଭିତ୍ତିଭୂମିର ଉନ୍ନତି କରୁଥିବାରୁ ଶ୍ରୀ ରାୟ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ