Uncategorizedଅଚ୍ୟୁତାନନ୍ଦ ଧଳ ଙ୍କ କବିତା ଆସିଛି ଫୁଲେଇ ଶୀତ by Sunil Chandra NayakNovember 28, 2022060 Share0 ଆସିଛି ଫୁଲେଇ ଶୀତ ଲାଜେଇ ଲାଜେଇ ପାଦ ଥାପି ଥାପି ଆସିଛି ଫୁଲେଇ ଶୀତ, ସାଙ୍ଗରେ ଆଣିଛି କେତେ ଫୁଲ ଫଳ ସୁବର୍ଣ୍ଣ ପାଚିଲା ଖେତ । ବାଲି ଯାତ୍ରା ସହ ଗୁରୁବାର ଓଷା ମାଆ ଲକ୍ଷ୍ମୀଙ୍କ ର ପୂଜା, ଅତୀବ ସୁନ୍ଦର ଦିଶୁଅଛି ଧରା ସବୁଆଡେ ସାଜ ସଜା। ଆଗକୁ ଆସିବ ପଢୁଆଁ ଅଷ୍ଟମୀ ଉଠିବ ପଡ଼ିବ ହାଟ, ଶୀତ ପୋଷାକର ପସରା ମେଲିବେ ସଭିଙ୍କୁ କରି ଆକୃଷ୍ଟ। ଶୀତୁଆ ସକାଳ ତୋଳି ଆଣିଥାଏ ମନେ ନୂଆ ଶିହରଣ, ନୂଆ ବରଷର ବଣଭୋଜି ଆଉ ଭ୍ରମଣ ନୂତନ ସ୍ଥାନ। ଚାଷୀ ତର ତର କରିବ ଅମଳ ବରଷକ ପାଇଁ ଅନ୍ନ, ଧାନଖଳା ଟିଏ ପ୍ରସ୍ତୁତ କରିଛି ସଜେଇ ରଖିବ ଧାନ। ଏହି ଧାନଗଦା ପୂଜନ କରିବ ଧନୁ ସଂକ୍ରାନ୍ତି ଦିନ, ଧନୁମୁଆଁ ଟିଏ ଅର୍ପଣ କରି ସେ ଅମଳ କରିବ ଧାନ। ତା’ପରେ ଆସିବ ମକର ସଂକ୍ରାନ୍ତି ଗୁଡ଼ି ଉଡା ଲାଗେ ମଜା, ମକର ଚାଉଳ ପିଠା ପଣା ସହ ଅରୁଆ ଚୁଡ଼ା ଓ ଖଜା। ଦେହ ରହେ ସୁସ୍ଥ ମନ ରହେ ତାଜା ଏହି ଶୀତ ସକାଳରେ , ପ୍ରାତ ଭ୍ରମଣର ଫୁର୍ତ୍ତି ଯେ ନିଆରା ଦିନ ବିତେ ଆନନ୍ଦରେ। ସଞ୍ଜବତି ସାଙ୍ଗେ ଗରମ ପକୁଡ଼ି ନଡ଼ିଆ ମୁଡ଼ିର ସ୍ଵାଦ, ଥୁରୁ ଥୂରୁ ଶୀତ ଗାଏ ସତେ ଗୀତ ତୋଳି ପ୍ରେମପୂର୍ଣ୍ଣ ପଦ। ସାଥିଟିଏ ଲୋଡ଼େ ଏ ଜାଡ ରାତିରେ ରେଜାଇ କମ୍ବଳ ସାଥେ, ନିଦ ମାଉସୀ ର ଶୀତଳ ପରଶେ ବଡ କଷ୍ଟେ ରାତି ବିତେ। ଅଚ୍ୟୁତାନନ୍ଦ ଧଳ ଶାସନ ଖାସ୍, ତିହିଡି, ଭଦ୍ରକ