ରାଉରକେଲା/ ଏନଆଇଟି ର ପ୍ରାକ୍ତନ ପ୍ରଫେସର ତଥା ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ଡଃ ଅମୂଲ୍ୟ କୁମାର ପଣ୍ଡା ଙ୍କ ପୁସ୍ତକ ‘ଇନଫ୍ଲୁଏନ୍ସ ଅଫ୍ ସ୍ପିରିଚୁଆଲିଟି ଅନ ମାଇଁ ଲାଇଫ୍ ଜର୍ଣ୍ଣି’ ର ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦ ସରସ୍ବତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁସ୍ତକକୁ ଲୋକାର୍ପିତ କରିବା ସହ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପୁସ୍ତକର ଲେଖକ ଡଃ ପଣ୍ଡା ପୁସ୍ତକ ସଂପର୍କରେ ଆଲୋଚନା କରି କହିଲେ ଯେ ଜୀବନର ପ୍ରାରମ୍ଭରେ ଅଧ୍ୟାପନା ପରେ ଇଂଜିନିୟର ଭାବେ ରାଉରକେଲା ଇସ୍ପାତ କାରଖାନା ରୁ ଜଣେ ଅଧିକାରୀ ଭାବେ ଅବସର ପରେ ନିଜ ଜୀବନର ସ୍ମୃତି କୁ ଲିପିବଦ୍ଧ ଓ ସ୍ବାମୀ ଶିବାନନ୍ଦ ସରସ୍ବତୀ ତଥା ସ୍ବାମୀ ଚିଦାନନ୍ଦ ସରସ୍ବତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପରେ କିପରି ତାଙ୍କର ଜୀବନ ଯାତ୍ରା ହୋଇଛି, ସେ ସଂପର୍କରେ ପୁସ୍ତକରେ ସନ୍ନିବେଷିତ ହୋଇଛି। ଯାହା ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଆଶ୍ରମର ସଂପାଦକ ରବିନ୍ଦ୍ର କୁମାର ପାଣ୍ଡବ,ଡାକ୍ତର କୃପାସିନ୍ଧୁ ନାୟକ, କାର୍ତ୍ତିକ ଚନ୍ଦ୍ର ପାଣ୍ଡବ,ଇଂ ଜଳଧର ପ୍ରଧାନ, ଲାୟନ ବଳରାମ ଦାଶ ପ୍ରମୁଖ ପୁସ୍ତକ ସଂପର୍କରେ ମତରଖି ଥିଲେ। ଜୀବନର ଅଭିଜ୍ଞତା ଏହି ପୁସ୍ତକର ମୂଳପୁଞ୍ଜି। ଏହା ଇଂରାଜୀରେ ଲେଖା ଯାଇଥିବାରୁ ଏହା ଓଡିଶା ତଥା ଓଡିଶା ବାହାରେ ଲୋକାଦୃତ ହୋଇ ପାରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରତାପ କୁମାର ରାୟ, ଶ୍ରଦ୍ଧା ଷଡଙ୍ଗୀଙ୍କ ସମେତ ଆଶ୍ରମର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବିଜୟାନନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଶାନ୍ତି ପାଠ ସହ ପ୍ରସାଦ ବିତରଣ କରାଯାଇଥିଲା। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।