ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତିସାହିତ୍ୟ ଅଗଣା

ଆଜି ସାବିତ୍ରୀ ଓଷା… ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା

ଆଜି ସାବିତ୍ରୀ ବ୍ରତ।ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା । ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ କରୁଛନ୍ତି ପୂଜାର୍ଚ୍ଚନା । ସକାଳ ହେଉ ହେଉ ମଥାରେ ସିନ୍ଦୁର, ହାତରେ ନୂଆ ଚୁଡି, ରଙ୍ଗ ବେରଙ୍ଗ ଶାଢୀରେ ସଜେଇ ହୋଇ କେହି କେହି ସଧବା ମହିଳା ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରନ୍ତି ।

ଓଡିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଆନ୍ତି । ହିନ୍ଦୁ ମହିଳାମାନେ ପ୍ରତିବର୍ଷ ଏହି ଦିନକୁ ଇଙ୍ଗ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି।

ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା । ଯମରାଜଙ୍କ ପଛରେ ଯାଇ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ । ସକାଳୁ ସକାଳୁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଅଳତା ନାଇ ବିଭିନ୍ନ ଫଳ ଓ ଫୁଲରେ ନୈବେଦ୍ୟ ସଜାଡିଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ ।

ବିଶେଷ କରି ଆମ୍ବ, ପଣସ, ନଡିଆ, ଫୁଟି, କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି ମହିଳା । ସାବିତ୍ରୀ ପୂଜା ପାଇଁ ବିଭିନ୍ନ ମନ୍ଦିରରେ ସଧବାଙ୍କ ଭିଡ ଦେଖିବାକୁ ମିଳିଛି।

ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ (ଧୂଆମୁଗ, ନଡ଼ିଆ, କଦଳୀ (ରମ୍ଭା), ଆମ୍ବ, ପଣସ, ସପୁରୀ, ତାଳସଜ ଆଦି) ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ । 

ସାବିତ୍ରୀ ବ୍ରତର କିମ୍ବଦନ୍ତୀ….

ମହାଭାରତ ମତେ ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ସାବିତ୍ରୀଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଏକଦା ଯଜ୍ଞର ଆୟୋଜନ କଲେ । ନିର୍ଦ୍ଦିଷ୍ଟ ସମୟ ଉପନୀତ ଉତ୍ତାରୁ ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ଇପ୍‌ସିତ ବର ମାଗିବାକୁ କହିଲେ । ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ମିନତୀ କଲେ । ଦେବୀ ରାଜାଙ୍କୁ ପୁତ୍ରସନ୍ତାନ ଲାଭ କରିବା ଯୋଗ ନ’ଥିବା ସୂଚାଇ ଦେଲେ ଏବଂ ଏକ ଉତ୍ତମ କନ୍ୟା ହେବାର ଆର୍ଶିବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ଉପଯୁକ୍ତ ସମୟରେ ଦେବୀଙ୍କ କୃପାରୁ ଅଶ୍ୱପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜାତ ହେଲା । ସାବିତ୍ରୀ (ଗାୟତ୍ରୀ)ଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରି ତାହର ନାମ ସାବିତ୍ରୀ ରଖିଥିଲେ । ଗାୟତ୍ରୀ କ୍ରମେ ଯୌବନରେ ପାଦ ଦେବାପରେ ପିତା ଅଶ୍ୱପତିଙ୍କ ଆଦେଶମତେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପ୍ରକାଶ କରି ସହଚରୀମାନଙ୍କ ସହ ପତି ଅନ୍ୱେଷଣାର୍ଥେ ଭ୍ରମଣ କରିବାକୁ ବାହାରିଲେ ।

ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ଦୈବୀ ଦୁର୍ବିପାକରୁ ସତ୍ୟବାନଙ୍କ ଶୈଶବାସ୍ଥାରେ ଦ୍ୟୁମତସେନ ଅନ୍ଧ ଓ ଭ୍ରଷ୍ଟରାଜ୍ୟ ହୋଇ ବନବାସୀ ହୋଇ ଥିଲେ। ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ।

ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତି, ଧର୍ମପରାୟଣାତା ଓ ରୂପରେ ମୁଗ୍ଧା ହୋଇ ଐଶ୍ୱର୍ଯ୍ୟ ଭୋଗଲାଳସା ତ୍ୟାଗ କରି ଏହାଙ୍କ ସଙ୍ଗରେ ଜୀବନଯାପନ କରିବା ପାଇଁ ସଂକଳ୍ପ କରି ସତ୍ୟବାନଙ୍କୁ ପତିରୂପେ ମନୋନୀତ କରି ରାଜଧାନୀକୁ ଫେରି ପିତାଙ୍କୁ ଜଣାଇଲେ। ଏହି ସମୟରେ ନାରଦ ଉପସ୍ଥିତ ହୋଇ ସତ୍ୟବାନଙ୍କ ପରମାୟୁ ଆଉ ମାତ୍ର ଏକ ବର୍ଷ ଥିବା ଜଣାଇ, ନିଜ ମତ ବଦଳାଇବାକୁ ସାବିତ୍ରୀଙ୍କୁ ଅନୁରୋଧ କଲେ। ମାତ୍ର ସାବିତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ଅଗତ୍ୟା ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସମ୍ପନ୍ନ ହେଲା । ବିବାହ ପରେ ସାବିତ୍ରୀ ପିତୃଗୃହର ରାଜ ସମ୍ପଦ, ବିଳାସ ଓ ଦାସଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ୱାମୀଙ୍କ ସହିତ ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କ ସେବାରେ ଲାଗିଲେ ।

ବିବାହର ଏକ ବର୍ଷ ପୂରିବାକୁ ତିନି ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର-ବ୍ରତ ଅବଲମ୍ବନ କଲେ । ଅନନ୍ତର ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ୟବାନ ଫଳମୂଳ ଓ ସମିଧ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ । ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା (ମୃତ୍ୟୁ) ହେଲା । କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କ୍ରୋଡ଼ରେ ରଖି ସେହିଠାରେ ବସି ରହିଲେ । ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାଧ୍ୱୀ ସାବିତ୍ରୀଙ୍କ ନିକଟରୁ ଛଡ଼ାଇ ନେଇ ନ ପାରି ଫେରିଗଲେ। ବିଫଳ ଯମଦୂତଙ୍କଠାରୁ ଖବର ପାଇ ନିଜେ ଯମ ଆସି ସେଠାରେ ପହଞ୍ଚି ସତ୍ୟବାନଙ୍କ ଜୀବ ଧରି ବାହାରିଲେ। ସାବିତ୍ରୀ ମଧ୍ୟ ଯମଙ୍କୁ ଅନୁଗମନ କଲେ। ଯମରାଜା ଏହାଙ୍କ ପତିଭକ୍ତି ଓ ସ୍ତୁତିପାଠରେ ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ତିନୋଟି ବର ଦେବାକୁ ସତ୍ୟକଲେ ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା କିଛି ମାଗି ପାରନ୍ତି । ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ । ଯମ ତଥାସ୍ତୁ କହି, ଫେରିଯିବାକୁ କହିବାରୁ, ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ପଚାରିଲେ, ଅଗତ୍ୟା ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁଦାନ କଲେ।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

Related posts

ଶନି ମହାରାଜ ଙ୍କ ପୂଜା ଓ ଯଜ୍ଞ

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା // ଅଭିଳାଷ ଆମ ଆହେ ! ଭଗବାନ

Sunil Chandra Nayak

ଧର୍ମଗଡ଼ ଶକ୍ତି ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା

Sunil Chandra Nayak

Leave a Comment

error: Content is protected !!