ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ନାରୀ ସଶକ୍ତିକରଣ ଉଦାହରଣ ସରଳା ଦେବୀ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ତଥା ଓଡ଼ିଶାର ପ୍ରଥମ ବିଧାୟିକା ସରଳା ଦେବୀଙ୍କ ଆଜି ଜୟନ୍ତୀ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ବିଧାୟିକା ସରଳା ଦେବୀଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ନାରୀ ସଶକ୍ତିକରଣ, ଗ୍ରାମୀଣ ମହିଳାଙ୍କ କଲ୍ୟାଣ ସହ ସୁସ୍ଥ ସମାଜ ଗଠନ ଏବଂ ଓଡ଼ିଆ ଭାଷା, ସାହିତ୍ୟକୁ ବ୍ୟାପକ କରିବା କ୍ଷେତ୍ରରେ ତାଙ୍କ ଅବଦାନ ଚିର ସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଦେଶ ଦେଇଛନ୍ତି।

ସରଳା ଦେବୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଲେଖିକା ଥିଲେ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇଂରେଜ ସରକାର ଅଧୀନରେ ଥିବା ବେଳେ ଭାରତରେ , ନାରୀମାନଙ୍କର ସାମାଜିକ ଓ ରାଜନୈତିକ ଅଧିକାର ପାଇଁ ଆନ୍ଦୋଳନ ଦେଖା ଦେଇଥିଲା । ଫଳରେ ନାରୀ ଶିକ୍ଷାର ପ୍ରସାର ଓ ପ୍ରଚାର ଘଟିଥିଲା । ସେହି ସମୟରେ ଏହାର ପ୍ରଭାବ ଓଡ଼ିଶାର ନାରୀ ମାନଙ୍କ ଉପରେ ମଧ୍ୟ ପଡ଼ିଥିଲା । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରମାଦେବୀ, ମାଳତୀ ଚୌଧୁରୀ , ଗୋଦାବରୀ ଦେବୀ ପ୍ରମୁଖଙ୍କ ସହ ବହୁ ଓଡ଼ିଆ ନାରୀ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସରଳା ଦେବୀ ଅଗ୍ରଗଣ୍ୟ ଥିଲେ ।ପ୍ରଥମ ଓଡ଼ିଆ ମହିଳା ଭାବେ ସେ ସତ୍ୟାଗ୍ରହ ଆନ୍ଦୋଳନରେ ଭାଗନେଇଥିଲେ । ସେ ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହରେ ଭାଗନେଇଥିଲେ । ସ୍ୱାଧୀନତା ଆନ୍ଦଳୋନର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଜେଲଦଣ୍ଡ ଭୋଗ କରିଥିଲେ ।

ଜନ୍ମ….

ସରଳା ଦେବୀ ୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀ ବାସୁଦେବ କାନୁନଗୋ ଓ ମାଙ୍କ ନାମ ପଦ୍ମାବତୀ ଦେବୀ । ତାଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ । ସେହି ସମୟରେ ତାଙ୍କ ମା ଅନେକ ଗୁଡ଼ିଏ ସନ୍ତାନ ହରାଇଥିଲେ । ତେଣୁ ସରଳା ଦେବୀ ଗର୍ଭରେ ଥିବା ବେଳେ ତାଙ୍କ ମା ପୁରୁଖା ଲୋକମାନଙ୍କର ଉପଦେଶ ମାନି ପର ଘରେ ଆସି ରହିଲେ। ସେଇଟା ଥିଲା ତାଙ୍କ ସାନ ଯାଆଙ୍କର ବାପ ଘର । ସ୍ଥାନ ବଦଳାଇଲେ କଲେ ଗର୍ଭସ୍ଥ ଶିଶୁଟି ବଞ୍ଚିଯିବ , ସେତିକି ତାଙ୍କର ଆଶା ଥିଲା। ସେଇଟି ଥିଲା କଟକ ସହରର ରାଜକିଶୋର ଦାସଙ୍କ ଘର । ୧୯୦୪ ମସିହା ଅଗଷ୍ଟ ମାସ ୧୯ ତାରିଖରେ ଝିଅଟିଏ ଭୂମିଷ୍ଠ ହେଲା । ସେଇ ମୁହୂର୍ତ୍ତରେ ପଦ୍ମାବତୀ ଦେଇ ସାନଯାଆ ହେମନ୍ତ କୁମାରୀଙ୍କ ହାତକୁ ଟେକିଦେଇଥିଲେ। ଫଳରେ ସେହି ଦିନଠାରୁ ସରଳା ହେଲେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦ କାନୁନଗୋଙ୍କ ଝିଅ ।

ପିଲାଦିନ….

ଜନ୍ମ ହେବା ପରେ ସେ ନିଜର ବାଲ୍ୟ ଜୀବନ ସେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦଙ୍କ ତତ୍ତ୍ୱାବଧାନରେ କାଟିଥିଲେ। ସେତେବେଳେ ସେ ଥିଲେ ଗଡଜାତମାନଙ୍କର ସୁପରିଣ୍ଟେଣ୍ଡେଣ୍ଟ ସ୍ୱନାମଧାନ୍ୟ ନନ୍ଦକିଶୋର ଦାସଙ୍କ ନାତୁଣୀ । ସେ ସମୟରେ ସେ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିଲେ। ତାଙ୍କ ସମୟରେ ଓଡ଼ିଶା , ବଙ୍ଗଳା ଓ ବିହାର ଗୋଟିଏ ପ୍ରଦେଶ ଥିଲା। ପିତା ବାଳମୁକୁନ୍ଦ ଡେପୁଟି ମାଜିଷ୍ଟ୍ରେଟ ଚାକିରୀ କରିଥିବାରୁ ଏହି ତିନୋଟି ଯାକ ପ୍ରଦେଶ ତାଙ୍କର କର୍ମସ୍ଥଳ ଥିଲା।ଫଳରେ ମାତା ହେମନ୍ତ କୁମାରୀ ଏହି ତିନୋଟି ପ୍ରଦେଶରେ ରହିବାର ସୁଯୋଗ ପାଇଥିଲେ ଓ ତାଙ୍କର ଦୃଷ୍ଟିଭଙ୍ଗୀ ଉନ୍ନତ ହୋଇପାରିଥିଲା । ସେଥିପାଇଁ ସେ ସରଳାଙ୍କୁ ମାର୍ଜିତ ଓ ଶିକ୍ଷିତ କରିବା ପାଇଁ ସବୁ ଚେଷ୍ଟା କରୁଥିଲେ । ଘରର ମୁରବୀମାନେ ତାଙ୍କର ହାଇସ୍କୁଲ ପଢ଼ା ବନ୍ଦ କରିଦେଇଥିଲେ । ମାତ୍ର ହେମନ୍ତ କୁମାରୀ ଜଣେ ଖ୍ରୀଷ୍ଟିଆନ୍ ଶିକ୍ଷୟିତ୍ରୀ ନିଯୁକ୍ତ କରି ତାଙ୍କର ଇଂରାଜୀ ଓ ବଙ୍ଗଳା ପଢ଼ିବାର ବ୍ୟବସ୍ଥା କରିଦେଲେ । ତୀକ୍ଷ୍ଣ ସ୍ମୃତିଶକ୍ତିର ଅଧିକାରୀ ହୋଇଥିବାରୁ “ଧ କହିଲେ କାମୁଡି ପକାଇବା” ନୀତିରେ ସ୍ୱଚେଷ୍ଟାରେ ପାଠରେ ବହୁତ୍ ଆଗକୁ ମାଡିଚାଲିଲେ । ସରଳା ପିଲାବେଳୁ ସମାଜରେ ପ୍ରଚଳିତ କୁପ୍ରଥା ବିରୁଦ୍ଧରେ ସଂଗ୍ରାମ କରିଥିଲେ ।

୧୯୨୦ ମସିହା ଅଗଷ୍ଟ ପହିଲାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ସରକାରୀ କୋର୍ଟ କଚେରୀ ବର୍ଜନ ଏହି ଆନ୍ଦୋଳନରେ ଗୋଟିଏ କାର୍ଯ୍ୟକ୍ରମ ଥିଲା । ଭାଗିରଥି ମହାପାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ହେତୁ ଓକିଲାତି ଛାଡି ଦେଲେ । ସରଳା ଦେବୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ।୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀ କଟକ ଆସିଲେ । କଟକ ବାଲୁବଜାର ପାଖରେ ସେ ଗୋଟିଏ ମହିଳା ସଭାରେ ନାରୀ ମାନଙ୍କୁ ସୂତା କାଟି ଖଦି ପିନ୍ଧିବାକୁ, ପରଦା ଛାଡିବାକୁ, ଛୁଆଁ ଅଛୁଆଁ ନମାନିବାକୁ ଉଦବୋଧନ ଦେଲେ। ସେହି ସଭାରେ ସରଳା ଦେବୀ ମଧ୍ୟ ଉପସ୍ଥିତ ଥିଲେ।ସେହିଠାରୁ ସେ ପରଦା ପ୍ରଥାକୁ ବର୍ଜନ କଲେ ଓ ଗାନ୍ଧୀଙ୍କର ଅନ୍ୟ ସମସ୍ତ ନୀତିକୁ ମଧ୍ୟ ଅନୁସରଣ କଲେ । ତା ପରେ ସେ କଂଗ୍ରେସର ସଭ୍ୟା ହେଲେ । ସେତେବେଳେ ସଭ୍ୟପଦ ପାଇଁ ନିୟମ ଥିଲା ଯେ, କଂଗ୍ରେସକୁ ଚାରିଅଣା ପଇସା ଦେଇ ରସିଦ୍ ଖାତାରେ ଦସ୍ତଖତ କରିବାକୁ ପଡିବ । ଏହି ଦସ୍ତଖତ ବା ଟିପ ଚିହ୍ନ କଂଗ୍ରେସର ସଭ୍ୟ ଭାବରେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିବାର ପ୍ରମାଣ ରୂପେ ଗ୍ରହଣ କରାଯାଉଥିଲା । କାରଣ କଂଗ୍ରେସ ରସିଦ୍ ବହିରେ ଲେଖା ଥିଲା – “ମୁଁ ଶାନ୍ତି ପୂର୍ଣ୍ଣ ଓ ନ୍ୟାୟ ସଂଗତ ଉପାୟରେ ଭାରତର ସ୍ୱାଧୀନତା ପ୍ରାପ୍ତିରେ ବିଶ୍ୱାସ କରେ । ” ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଗୋପବନ୍ଧୁ ଦାସ ଚାହୁଁଥିଲେ । ସେଥିପାଇଁ ସେ ଗାନ୍ଧୀଜୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ସେହି ନିମନ୍ତ୍ରଣ ରକ୍ଷା କରି ଗାନ୍ଧିଜୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କ ସହିତ ପତ୍ନୀ କସ୍ତୁରବା ମଧ୍ୟ ଆସିଥିଲେ । ସେମାନଙ୍କ ଆଗମନ ହେତୁ କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିଲେ । ହେଲେ ସେତେବେଳେ ଏଭଳି ହେବା ସମ୍ଭବ ନଥିଲା । ସରଳା ଦେବୀ କଟକ ସହରର ଗଳିକନ୍ଦି ବୁଲି ମହିଳାମାନଙ୍କୁ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେବାପାଇଁ ବୁଝାଇଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ସଫଳ ହୋଇଥିଲା ଓ ସେହି ସଭାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଏହି ସଭାରେ ଗାନ୍ଧିଜୀ ହିନ୍ଦୀରେ ଯେଉଁ ଭାଷଣ ଦେଇଥିଲେ , ସରଳା ଦେବୀ ତାକୁ ଓଡ଼ିଆରେ ଅନୁବାଦ କରି ଅନ୍ୟମାନଙ୍କୁ ବୁଝାଉଥିଲେ । ଗାନ୍ଧିଜୀଙ୍କ ଆହ୍ୱାନରେ ବହୁ ମହିଳା ନିଜର ଅଳଙ୍କାର ମାନ ଖୋଲି ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ । ପାଖରେ ଥିବା ସବୁ ଟଙ୍କା ପଇସା ମଧ୍ୟ ଦେଇଦେଇଥିଲେ । ସେମାନଙ୍କ ସହ ସରଳାଦେବୀ ମଧ୍ୟ ନିଜର ସ୍ୱର୍ଣ୍ଣ ଅଳଙ୍କାର ଦାନ କରିବା ସହ ଭବିଷ୍ୟତରେ ଆଉ ଅଳଙ୍କାର ପିନ୍ଧିବେ ନାହିଁ ବୋଲି ଘୋଷଣା କରିଥିଲେ । ସେହିଦିନଠାରୁ ସେ ସ୍ୱରାଜର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ପଣ କରିଥିଲେ।

ରାଜନୈତିକ ଜୀବନ….

୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଘୋଷଣା ହେବାପରେ ପ୍ରାଦେଶିକ ସ୍ୱାୟତ୍ତ ଶାସନର ଚଳଣିରେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିଧାନ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଠିଆ କରାଯାଇଥିଲା ।ଏବଂ ସେସମୟରେ ସରଳା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗ ନେଇ ବିଧାନ ସଭାକୁ ନିର୍ବାଚିତ ହେଇଥିଲେ । ସେ ଥିଲେ ଓଡ଼ିଶା ବିଧାନ ସଭାରେ ପ୍ରଥମ ମହିଳା ବିଧାୟିକା। ବିଧାନ ସଭାରେ ବାଲ୍ୟ ବିବାହ ଆଇନ୍ର ସଂଶୋଧନ ଓ ପୋଇଲି ପ୍ରଥାକୁ ଉଠାଇ ଦେବା ପାଇଁ ବିଭିନ୍ନ ଆଇନ୍ ପ୍ରଣୟନ କରିବାକୁ ବିଲ୍ ଆଗତ କରିଥିଲେ । ସେ ସମାଜରେ ପ୍ରଚଳିତ କୁପ୍ରଥା ବିରୋଧରେ ବିଧାନ ସଭାରେ ମଧ୍ୟ ସ୍ୱର ଉଠାଇଥିଲେ । ବିଧାୟିକା ହେବା ଫଳରେ ଆଇନ୍ ବଳରେ ଏହି ପ୍ରଥାରକୁ ଉଠାଇ ଦେବା ପାଇଁ ସେ ଦୃଢ଼ ପରିକର ହୋଇଥିଲେ । ତାଙ୍କ ଉଦ୍ୟମ ଫଳରେ ଏହି ବିଲ୍ ବିଧାନ ସଭାରେ ଗୃହୀତ ହୋଇଥିଲା । ସେ ବିଧାନ ସଭାରେ ଗୋଟିଏ ଦିନ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ ।ବ୍ରିଟିଶ୍ ଆମଳରେ ବିଧାନ ସଭାରେ ସମସ୍ତ କାର୍ଯ୍ୟ ଇଂରାଜୀ ଭାଷାରେ ହେଉଥିବା ବେଳେ , ସରଳା ବାଚସ୍ପତି ଆସନରେ ବସି ସେଦିନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ନିର୍ଧାରଣ କରିବାର ନିର୍ଦ୍ଦେଶ ଦେଇଥିଲେ ।ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାର ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା । ୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦ୍ଦେଶକ ଥିଲେ ।ଓଡ଼ିଆର ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ।

ନାରୀ ସଂଗଠନରେ ଭୂମିକା….

ଗାନ୍ଧିଜୀଙ୍କ ପ୍ରଭାବ ସରଳା ଦେବୀ , ରମା ଦେବୀ , ଶୈଳବାଳା ଦାସ , ରେବା ରାୟ ଓ କୁନ୍ତଳା କୁମାରୀ ଆଦି ପ୍ରମୁଖ ନାରୀନେତ୍ରୀଙ୍କ ଉପରେ ପଡ଼ିଥିଲା ।ସେମାନେ ନାରୀମାନଙ୍କର ସାମୂହିକ ଉନ୍ନତି ପାଇଁ ଚେଷ୍ଟା କରୁଥିଲେ । ଲେଖା,ଶିକ୍ଷା ଓ ସଭାସମିତିଦ୍ୱାରା ନାରୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଆଲୋକପାତ କରୁଥିଲେ ।ଓଡ଼ିଶାର ନାରୀମାନଙ୍କୁ ଏକାଠି କରିବାପାଇଁ ସରଳା ଦେବୀ “ଉତ୍କଳ ମହିଳା ସମ୍ମିଳନୀ” ନାମକ ସଂଗଠନ ଗଠନ କରିଥିଲେ । ଏହା ତାଙ୍କର ନାରୀଜାତିକୁ ଉନ୍ନତ କରିବାର ଆପ୍ରାଣ ଉଦ୍ୟମର ଏକ ଝଲକ ଥିଲା ।ସେହି ଅଧିବେଶନରେ ହିଁ ଉତ୍କଳ ମହିଳା ସମ୍ମିଳନୀ ,” ନିଖିଳ ଭାରତୀୟ ମହିଳା ସଂଘ”ର ଶାଖା ରୂପେ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଥିଲା ।ଏହାର ସଫଳତା ତାଙ୍କୁ ଅଧିକ ଗଠନମୂଳକ କାମ କରିବା ପାଇଁ ବିଶେଷ ଉତ୍ସାହିତ କରିଥିଲା ।ସେ ଓଡ଼ିଶାର ନାରୀ ଓ ସେମାନଙ୍କ ସମସ୍ୟା ବିଷୟରେ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରବନ୍ଧମାନ ଲେଖି ପ୍ରକାଶ କରିଥିଲେ । ଯେହେତୁ ଏସବୁ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଆଲୋଚନା ହେଉଥିଲା, ତେଣୁ ତାଙ୍କର ଜାଗରଣର ବାର୍ତ୍ତା ଭାରତର ବିଭିନ୍ନ ସ୍ଥାନରେ ପହଞ୍ଚି ପାରିଥିଲା । ୧୯୨୪ ମସିହାର କଟକ ନାରୀ ସମ୍ମିଳନୀରେ ଯୋଗଦେବା ପରେ ସେ କଟକ ସ୍ୱରାଜ୍ୟ ଆଶ୍ରମର ମହିଳା ସଭା ଓ ସଂଗଠନ କାମରେ ଲାଗିପଡିଥିଲେ ।ସେ ବୁଝିପାରିଥିଲେ ଯେ ନାରୀର ଉନ୍ନତିରେ ହିଁ ଦେଶର ଉନ୍ନତି ନିହିତ । କିନ୍ତୁ ଏହି ସମୟରେ ଭାରତର ରାଜନୈତିକ ଆନ୍ଦୋଳନ ଭିନ୍ନ ମୋଡ ନେଲା । ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଲବଣ ଆଇନ୍ ବିରୁଦ୍ଧରେ ସତ୍ୟାଗ୍ରହ କରିବା ପାଇଁ ଡାକରା ଦେଲେ ।

ଲବଣ ସତ୍ୟାଗ୍ରହରେ ଭୂମିକା….

ସରଳା ଦେବୀ ସେତେବେଳେ ଗଞ୍ଜାମ ଜିଲ୍ଲାରେ “ଉଦ୍ଯୋଗ ମନ୍ଦିର” ନାମକ ସଂସ୍ଥା ସ୍ଥାପନ କରି ଗ୍ରାମାଞ୍ଚଳରେ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବାରେ ଲାଗିପଡିଥିଲେ । ତାଙ୍କ ପ୍ରଚେଷ୍ଟାରେ ଶ୍ରୀମତୀ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ବହୁ ପୁରୁଷ ସତ୍ୟାଗ୍ରହୀ ମଧ୍ୟ ଏଥିରେ ରହି ଦଲବଦ୍ଧ ହୋଇ ଲୁଣ ମାରି ଲବଣ ଆଇନ୍ ଭଙ୍ଗ କରିଥିଲେ ଓ ଗିରଫ ହୋଇ ଦଣ୍ଡ ଭୋଗୁଥିଲେ । ଯେତେବେଳେ ସରଳା ଦେବୀ ନିଜେ ଲବଣ ଆଇନ୍ ଭାଙ୍ଗିବାର ଘୋଷଣା କଲେ, ସେତେବେଳେ ସରକାରଙ୍କ ଚେତନା ପଶିଲା । ଦିନେ ସେ “ମାନ୍ଦ୍ରାଜ୍ ମେଲ୍”ରେ ଯାଉଥିଲେ । ହଠାତ୍ ଏହା ଗୋଟିଏ ନିର୍ଜନ ସ୍ଥାନରେ ଠିଆ ହୋଇଗଲା । କିନ୍ତୁ ଏହି ରେଳଟି ବଡ଼ ବଡ଼ ଷ୍ଟେସନ୍ ଛଡା ଆଉ କୋଉଠି ଅଟକେନାହିଁ।ସେଦିନ ଗାଡି କାହିଁକି ଅଟକିଲା ବୋଲି ଯାତ୍ରୀମାନେ କାରଣ ଖୋଜିବାବେଳକୁ ଦଳେ ପୋଲିସ୍ ଜଣେ ଯୁବତୀଙ୍କୁ ରେଳରୁ ଓହ୍ଲାଇ , ପୋଲିସ୍ ଗାଡ଼ିରେ ବସାଇ ନେଇଗଲେ ।ସେମାନେ ଜାଣିପାରିଲେ ଯେ ସେ ଯୁବତୀ ଜଣକ ସରଳା ଦେବୀ । ବ୍ରିଟିଶ୍ ସରକାରଙ୍କ ଭୟ ଥିଲା କାଳେ ତାଙ୍କୁ ସର୍ବସାଧାରଣରେ ଗିରଫ କଲେ, ସାଧାରଣ ଜନତା ଉତ୍ତେଜିତ ହୋଇଯିବେ ତେଣୁ ସେ ରେଳରେ ଯାତ୍ରା କରୁଥିବା ସମୟରେ ନିଛାଟିଆ ଜାଗାରେ ରେଳ ଅଟକାଇ ତାଙ୍କୁ ଗିରଫ କରିନେଇଥିଲେ।ପରେ ତାଙ୍କୁ ସୁଦୂର ଭେଲୋର୍ ଜେଲ୍ ପଠାଯାଇଥିଲା । ସେ ଥିଲେ କାରାବରଣ କରିଥିବା ଓଡ଼ିଶାର ପ୍ରଥମ ନାରୀ ।୬ ମାସ ପରେ ସେହି ବର୍ଷ ଡିସେମ୍ବର ୮ ତାରିଖ ଦିନ ତାଙ୍କୁ ସେଠାରୁ ଖଲାସ କରାଯାଇଥିଲା । ୧୯୩୦ ମସିହା ଲବଣ ସତ୍ୟାଗ୍ରହ ,ନିଶା ନିବାରଣ ଓ ବିଦେଶୀ ପଦାର୍ଥ ବର୍ଜନ ଆନ୍ଦୋଳନ ଖୁବ୍ ପ୍ରବଳ ହେଲା । ଶେଷରେ ବ୍ରିଟିଶ୍ ସରକାର ଉପାୟହୀନ ହୋଇ ୧୯୩୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହ ସନ୍ଧି କରିଥିଲେ । ଓଡ଼ିଶାରେ ସରଳା ଦେବୀ ଏହିସବୁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

ଚାଷୀ ଆନ୍ଦୋଳନରେ ଭୂମିକା….

ଦେଶର ସ୍ୱାଧୀନତା ଆନ୍ଦୋଳନ ବେଳେ ଗଡଜାତ ରାଜା ଓ ଜମିଦାରମାନେ ଇରେଜମାନଙ୍କର ଦୃଢ଼ ସମର୍ଥକ ଥିଲେ । ଜମିଦାରମାନେ ଚାଷୀମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ଚଳାଉଥିଲେ । ଚାଷୀମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରିବା ପାଇଁ,ସେମାନଙ୍କ ଦୁଃଖ ସୁଖରେ ଭାଗୀଦାର ହେବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର କର୍ତ୍ତବ୍ୟ ହୋଇଉଠିଥିଲା । ସେଥିପାଇଁ କଂଗ୍ରେସ ଦଳ ଭିତରେ ଗୋଟିଏ ପ୍ରଗତିଶୀଳ ଗୋଷ୍ଠୀ ଲୋକେ “ଉତ୍କଳ କଂଗ୍ରେସ ସାମ୍ୟବାଦୀ ସଂଘ” ନାମରେ ଏକ ନୂଆ ସଂଗଠନ ଗଢିଥିଲେ । ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଭଗବତୀ ଚରଣ ପାଣିଗ୍ରାହୀ ଓ ମାଳତୀ ଚୌଧୁରୀ ପ୍ରମୁଖ ଥିଲେ ଏହି ସଂଘର ପ୍ରତିଷ୍ଠାତା । ଏମାନେ ସମସ୍ତେ କାର୍ଲମାର୍କସ୍ଙ ସାମ୍ୟବାଦୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇଥିଲେ । ଦେଶର ରାଜନୈତିକ ସ୍ୱାଧୀନତା ସହିତ ଲୋକଙ୍କ ଆର୍ଥିକ ସ୍ୱାଧୀନତା କିପରି ଆସିପାରିବ, ସେଥିପାଇଁ ସେମାନେ ଲାଗିପଡିଥିଲେ । ଜମିଦାର ଓ ସାହୁକାରମାନଙ୍କ ଶୋଷଣରୁ ଚାଷୀମାନଙ୍କୁ ରକ୍ଷା କରିବାପାଇଁ ସେମାନେ ଚାଷୀମାନଙ୍କୁ ଏକାଠି କରୁଥିଲେ । ସରଳା ଦେବୀ କଂଗ୍ରେସ ସାମ୍ୟବାଦୀ କର୍ମୀ ମାନଙ୍କ ସହ ମିଶି ଚାଷୀମାନଙ୍କୁ ସଂଗଠିତ କରୁଥିଲେ । ୧୯୩୭ ମସିହା ମେ ମାସରେ ଡେଲାଙ୍ଗଠାରେ ଏକ ଚାଷୀସଭା ହୋଇଥିଲା । ଏହି ସଭାରେ ସେ ତତ୍କାଳୀନ ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ । ବିଧାନ ସଭା ମଧ୍ୟରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ ଖଜଣା ଆଦାୟ ବନ୍ଦ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଲୋକେ ଯେପରି ବନ୍ୟା ଦାଉରୁ ରକ୍ଷା ପାଇବେ ସେଥିପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସରକାରଙ୍କ ପାଖରେ ଦାବି କରିଥିଲେ । ମୋଗଲବନ୍ଦୀର ଜମିଦାରଙ୍କ ଭଳି ଗଡଜାତର ରାଜାମାନେ ମଧ୍ୟ ପ୍ରଜାମାନଙ୍କୁ ବେଠି ଖଟାଇ ନାନା ପ୍ରକାର ଟିକସ ଆଦାୟ କରି ହନ୍ତସନ୍ତ କରୁଥିଲେ । ସରଳା ଦେବୀ ବିଧାନ ସଭା ଭିତରେ ଓ ବାହାରେ ଏହି ଗଡଜାତ ରାଜମାନଙ୍କର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।

ସାହିତ୍ୟ ସାଧନା….

ସରଳା ଦେବୀ ଅଳ୍ପ ବୟସରୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରିଥିଲେ । ସେ ଯୁଗରେ “ପରିଚାରିକା” ନାମକ ଗୋଟିଏ ମାସିକ ପତ୍ରିକା କିଛି ବର୍ଷ ପ୍ରକାଶିତ ହୋଇଥିଲା । ଶ୍ରୀମତୀ ବସନ୍ତ କୁମାରୀ ଦେବୀ ଏହି ପତ୍ରିକାର ସମ୍ପାଦିକା ଥିଲେ । ସରୋଜିନୀ ଦେବୀ , କୋକିଳ ଦେବୀ , ପ୍ରମିଳା ସୁନ୍ଦରୀ ଦେଇ , ରମା ସୁନ୍ଦରୀ ଦେଇ, କାଞ୍ଚନ ମଣି ଦେଇ ପ୍ରମୁଖ ବହୁ ମହିଳାଙ୍କ ରଚନା ସେହି ପତ୍ରିକାରେ ପ୍ରକାଶିତ ହୋଇଥିଲା । ପକ୍ଷ ୧୩୨୫ରୁ ୧୩୨୭ ମଧ୍ୟରେ ଛପା ହୋଇଥିବା “ପରିଚାରିକା”ରେ ସରଳା ଦେବୀଙ୍କର ମଧ୍ୟ ବହୁ ରଚନା ଦେଖିବାକୁ ମିଳେ । ସେଗୁଡିକ ଭିତରୁ “ଧୌର୍ଯ୍ୟଶାଳୀ ସାମ୍ରାଜ୍ଞି – ଶୈବ୍ୟା” , “କଳ୍ପିତ ମୃତ୍ୟୁ” ଓ “ପ୍ରତୀକ୍ଷା” ଅନ୍ୟତମ । ୧୫ ବର୍ଷ ବୟସରୁ ତାଙ୍କର ଏଭଳି ରଚନାରୁ ତାଙ୍କର ସାହିତ୍ୟିକ ପ୍ରତିଭାର ପରିଚୟ ମିଳିଥିଲା ।ତାଙ୍କ ଭିତରେ ସୃଜନଶୀଳ ସାହିତ୍ୟ ପ୍ରତିଭା ପୂରି ରହିଥିଲା । ଅଳକା ଆଶ୍ରମରୁ ପ୍ରକାଶିତ ହାତଲେଖା “ଅଳକା”ଠାରୁ ଆରମ୍ଭ କରି “ସରକାର”,”ନବ ଭାରତ” ଇତ୍ୟାଦି ଓଡ଼ିଶାର ବିଶିଷ୍ଟ ପତ୍ର ପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଉଥିଲା । ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପଲବ୍ଧି କରି ଲୋକ ଶିକ୍ଷା ଉଦ୍ଦେଶ୍ୟରେ ଗାଁ ଲୋକଙ୍କ କଥା, ନାରୀର ଆଇନଗତ ଅଧିକାର ଆଦି ବିଷୟରେ ଛୋଟଛୋଟ ପୁସ୍ତକ ରଚନା କରି ତାହାର ପ୍ରଚାର ପ୍ରସାର କରିଥିଲେ । “ହିନ୍ଦୁସ୍ତାନ ଗ୍ରନ୍ଥମାଳା” ନାମକ ସଂସ୍ଥା ସ୍ଥାପନ କରି ସେ ତା’ର ସମ୍ପାଦିକା ହୋଇଥିଲେ । ନାରୀର ଆର୍ଥିକ ଅବସ୍ଥା ବିଷୟରେ ତାଙ୍କର ଗବେଷଣା, ଭାଷଣ ଓ ରଚନା ସେତେବେଳେ ସମାଜ ମଧ୍ୟରେ ଏକ ଆଲୋଡନ ସୃଷ୍ଟି କରିଥିଲା । ସେ “ସବିତା” ନାମକ ଗୋଟିଏ ପତ୍ରିକାର ସମ୍ପାଦନା ସହ ସେଥିରେ ନିଜର ମତାମତ ମଧ୍ୟ ପ୍ରକାଶ କରୁଥିଲେ । ୧୯୩୫ ମସିହାରେ “ଭାରତୀୟ ମହିଳା ପ୍ରସଙ୍ଗ” ନାମରେ। ତାଙ୍କର ଏକ ପ୍ରବନ୍ଧ ପୁସ୍ତକ ଓ ନାରୀ ଜଗତ ନାମକ ଏକ ପ୍ରବନ୍ଧ ଗ୍ରନ୍ଥ ହିନ୍ଦୁସ୍ତାନ ସାହିତ୍ୟ ମନ୍ଦିର ପ୍ରକାଶ କରିଥିଲା ।ଏଥିରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ନାରୀ ଜାଗରଣ ବିଷୟରେ ଆଲୋଚନା କରାଯାଇଥିଲା ।୧୯୫୮ ମସିହାରେ ବିଶ୍ୱ ବିପ୍ଲବୀଣି ନାମକ ତାଙ୍କର ଏକ ପୁସ୍ତକକଟକ ପବ୍ଲିସିଂ ହାଉସ୍ ପ୍ରକାଶ କରିଥିଲା ।ଏଥିରେ ବିଶ୍ୱ ତଥା ଭାରତ ର୍ ବିପ୍ଲବିଣୀ ନାରୀମାନଙ୍କର ଜୀବନ କାହାଣୀ ସଂକ୍ଷେପରେ ପ୍ରକାଶ କରାଯାଇଥିଲା । ଏହାବ୍ୟତୀତ “ରାୟ ରାମନନ୍ଦ” “ସରଳା ମହାଭାରତରେ ନାରୀ ଚରିତ୍ର” , ବାସନ୍ତୀ ପ୍ରଭୃତି ଗ୍ରନ୍ଥ ଓ ଉପନ୍ୟାସରେ ବିଶେଷଭାବେ ଅବଦାନ କରିଥିଲେ ।

ଶେଷ ଜୀବନ….

ସରଳା ଦେବୀ ପ୍ରାୟ ୯ ବର୍ଷ କାଳ ବିଧାନ ସଭାରେ ରହି ବିଭିନ୍ନ ପ୍ରଗତିଶୀଳ ଆଇନ୍ ପାସ୍ କରିବାରେ ସହାୟତା କରିଥିଲେ । କିଛିଦିନ ସେ ବିଧାନ ସଭାରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ୱାରା ଗଠିତ ନ୍ୟାସନାଲ ପ୍ଲାନିଙ୍ଗ କମିଟିର ସଦସ୍ୟା ରହି ଓଡ଼ିଶାର ମଙ୍ଗଳ ପାଇଁ ଅନେକ ଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୧୯୪୧ ମସିହାରେ କଂଗ୍ରେସ ତରଫରୁ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଓଡ଼ିଶାରୁ ଗାନ୍ଧିଜୀ , ସରଳା ଦେବୀଙ୍କୁ ତାହାର ପ୍ରଥମ ସତ୍ୟାଗ୍ରହୀ ରୂପେ ବାଛିଥିଲେ । ସେ ଯୁଦ୍ଧ ବିରୋଧୀ ଧ୍ୱନି ଦେଇ ୬ ମାସ କାଳ କାରାବରଣ କରିଥିଲେ । ୧୯୫୫ ମସିହା ସୀମା ଆନ୍ଦୋଳନ ଓ ୧୯୫୮ ମସିହା ଛାତ୍ର ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । ୧୯୮୬ ମସିହା ଆକ୍ଟୋବର ୪ ତାରିଖ ଦିନ ୮୨ ବର୍ଷ ବୟସରେ ସରଳା ଦେବୀଙ୍କର ପରଲୋକ ହୋଇଥିଲା । ଓଡ଼ିଶାର ନାରୀ ଆନ୍ଦୋଳନର କର୍ଣ୍ଣଧାର , ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ବରେଣ୍ୟ ଲେଖିକା ସରଳା ଦେବୀଙ୍କ ମୃତ୍ୟୁ ଓଡ଼ିଶା ଇତିହାସରେ ବିରାଟ ଦୁର୍ବିପାକ ସଦୃଶ ଲିପିବଦ୍ଧ ହୋଇ ରହିଯାଇଛି।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା….

Related posts

ଆଜିର ଦିବସର ଅନୁଚିନ୍ତା : ଫେବୃୟାରୀ ୨୮: ବିଜ୍ଞାନର ବିଜୟ ଗାଥା ଓ ଇତିହାସର ଏକ ଅନନ୍ୟ ଦିଗ୍ ଦର୍ଶନ

Sunil Chandra Nayak

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ପ୍ରବନ୍ଧ = ପୋଢ଼ ଯାତ୍ରା

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ = ଆଚାର୍ଯ୍ୟ ହରିହର ଦାସ ସ୍ମରଣେ

Sunil Chandra Nayak

Leave a Comment

error: Content is protected !!