ଜୁନାଗଡ଼ ଏନଏସି ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ
ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଏନଏସି କାଉନସିଲରଙ୍କ ପ୍ରସ୍ତାବ ଆଗତ
ଜୁନାଗଡ଼ ୨୭/୯(ମ ନି ସ): କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ଏନଏସି ପକ୍ଷରୁ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ନଗରପାଳ ଯୋଗଦେଇ ଉଦବୋଧନ ଦେଇଥିଲେ । ଏହି ଅଵସରରେ ଆଜି ସକାଳେ ମାଁ ଲଙ୍କେଶ୍ୱରୀ ମନ୍ଦିର ପରିସରକୁ ସଫେଇ କରାଯାଇଥିଲା । ଜୁନାଗଡ଼କୁ ସବୁବେଳେ ସ୍ୱଚ୍ଛ, ସରସ ସୁନ୍ଦର ରଖୁଥିବା ସଫେଇ କର୍ମଚାରୀ ମାନଙ୍କୁ ନେଇ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସଫେଇ କର୍ମଚାରୀ ମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜୁନାଗଡ଼ର ଡାକ୍ତରଖାନାର ଡାକ୍ତର ଓ ନର୍ସ ମାନେ ଆସି ସମସ୍ତ ସଫେଇ କର୍ମଚାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରାଯାଇଥିଲା । ପରେ ସମସ୍ତ ସଫେଇ କର୍ମଚାରୀଙ୍କୁ ଖାଇବାକୁ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବିଡ଼ିଓ, ଆଇଆଇସି ସମେତ ଏନଏସିଏର ସମସ୍ତ କାଉନସିଲର ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ପରେ ନଗରପାଳ ମୂକେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ସମସ୍ତ କାଉନସିଲରଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜୁନାଗଡ଼ ସହରର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା ହୋଇଥିଲା । ପରେ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ସମସ୍ତ କାଉନସିଲରଙ୍କ ସହମତିରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା । ରାଜ୍ୟ ସରକାର ଜିଲ୍ଲା ପୁନରଗଠନ ଯେବେ କରିବେ ତେବେ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବେ । ତେଣୁ ସରକାରଙ୍କୁ ଦାବୀ ଜଣାଇବାପାଇଁ ଆଲୋଚନା ହୋଇଥିଲା ।