ନୂଆପଡା: ପ୍ରକାଶ ପାଇଛି ପୌର ଭୋଟ ଗଣତିର ଫଳାଫଳ । ନୂଆପଡା ଜିଲ୍ଲାର ୩ଟି ଏନଏସିରେ ମଧ୍ୟ ପୌର ଫଳ ପ୍ରକାଶ ପାଇଛି । ଜିଲ୍ଲାରେ ଶାସକ ବିଜୁ ଜନତା ଦଳ ଗୋଟିଏ ବି ପରିଷଦ ହାତେଇ ପାରି ନ ଥିବା ବେଳେ ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ପଦ ହାତେଇଛନ୍ତି । ନୂଆପଡା ଏନଏସିରେ ସ୍ବାଧୀନ ପ୍ରାର୍ଥୀ ମହମ୍ମଦ ଆଦମ,ଖରିଆରରୋଡ ଏନଏସିରେ ବିଜେପିର ସୋନିଆ ଜୈନ ଓ ଖଡିଆଳ ଏନଏସିରେ କଂଗ୍ରେସର ଉଜ୍ଜଳ ଗୁପ୍ତା ବିଜୟୀ ହୋଇଛନ୍ତି ।
କଳାହାଣ୍ତି ସାଂସଦଙ୍କ ହୋମ ଟାଉନ ନୂଆପଡା ସଦର । ଏହି ଏନଏସିରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ଥିଲେ ସାଂସଦଙ୍କ ବଡ ପୁଅ ଅଭିନନ୍ଦନ ପଣ୍ତା । ତାଙ୍କୁ ବିଜେଡି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ମହମ୍ମଦ ଆଦମ ୧୨୬୬ ଭୋଟରେ ପରାଜିତ କରିଛନ୍ତି । ସେହି ପରି ଖରିଆରରୋଡ ଏନଏସି ହେଉଛି ନୂଆପଡା ବିଧାୟକ ତଥା ଟାଣୁଆ ବିଜେଡି ନେତା ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ହୋମ ଟାଉନ୍ । କିନ୍ତୁ ବିଜେଡି ବିଧାୟକଙ୍କ ହୋମ ଟାଉନରେ ପଦ୍ମ ଫୁଟିଛି । ବିଜେପିର ସୋନିଆ ଜୈନ ନିଜ ନିକଟତମ ପ୍ରତିଦ୍ବନ୍ଦି ବିଜେଡିର ସୁନୀତା ଜୈନଙ୍କ ୮୮୬ ଭୋଟରେ ପରାଜିତ କରିଛନ୍ତି । ଖଡିଆଳ ଏନଏସି ଖଡିଆଳ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ହୋମ ଟାଉନ । ଖଡିଆଳରେ କଂଗ୍ରେସ ପରିଷଦ ହାତେଇ ନେଇଛି । ଜିଲ୍ଲାର ୩ଟି ପୌର ପରିଷଦରେ ବିଜେଡି ପରାଜୟର ସ୍ବାଦ ଚାଖି ଥିବା ବେଳେ କଂଗ୍ରେସ ଓ ବିଜେପି ମୁହଁରେ ହସ ଫୁଟିଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ