କବିର ମହାପ୍ରୟାଣ
ସୁଧୀର ପଣ୍ଡା
କବିର ନିଧନେ କେ କାହୁଁ କାନ୍ଦିବ
କାହାର ହୋଇନି ହାନି
ଦରିଦ୍ର କବିଟା ପରଲୋକେ ଗମି
ବିରାମ ଦେଲା ଲେଖନୀ
ପରିବାର ପାଇଁ ଦାରିଦ୍ର୍ଯର ବୋଝ
କବି ଦେଇଥିଲା ଲଦି
ସାହିତ୍ୟି ସାଧନେ ସଦା ରହି ବ୍ଯସ୍ତ
କିଛି ନଥିଲା ସମ୍ପାଦି
ତଥାପି କେବେ ନଥିଲା ସେ ଥକି
ଅସମ୍ପୂର୍ଣ୍ଣ ରହିଗଲା ତାର ପୋଥି
କେ ଲେଖି ପାରିବ ବାକି।୧
ବୟସ୍କ ନିରୀହ କବି କେତେଜଣ
ବିରାଜି କବି କୁଟୀରେ
ଅମର ରହିବ ଦିବଗଂତ କବି
ଭାଷନ୍ତି ମହା ଆତୁରେ
କବିର ଶରୀର ଲୋଟିଅଛି ଶାନ୍ତେ
ଦେଖୁଥିବ ପ୍ରହସନ
ଚିତ୍ର ଉତ୍ତୋଳନ କରି ଚାଲିଛନ୍ତି
ଭେଟି ସ୍ତବକ ସୁମନ
କେଡେ ବିନମ୍ରରେ ଯୋଡି କର
ନବବସ୍ତ୍ରେ ଆଚ୍ଛାଦିତ କବିଶବ
ଚିରାକନା ପରିଧାନ ଯାର।୨
ପାଣ୍ଡୁଲିପି କେତେ ଅଯତ୍ନେ ଲୁଣ୍ଠିତ
ଗୃହସାରା ଏଣେତେଣେ
ଶିକ୍ଷିତ ତନୟ ଗୋଟାଇ ଚାଲିଛି
ଫିଙ୍ଗିଦେବ ଏହିକ୍ଷଣେ
କବି ନ ରହିଲା କଣ ଦରକାର
ଏସବୁ ରଚନା ରଖି
ଯଦି କିଏ ମାଗେ ଦେଇଦିଅ ତାକୁ
କିଣିଲେ ଦିଅରେ ବିକି
ବାଗ୍ଦେବୀ ଚିତ୍ରକୁ ଦିଅ ଓହ୍ଲାଇ
ପଦ୍ମାଳୟା ନବଚିତ୍ର କାନ୍ଥେ ଶୋଭା-
ପାଉ ସବୁଦିନ ପାଇଁ।୩
ନିଜର ରକ୍ଷଣ ନିଜେ ଅସଂଭାଳ
ଆୟ ଥିଲା ତା ଗଂଜଣା
ଅକର୍ମଣ୍ୟ ଅସହାୟ ଆଦି ଶବ୍ଦ
ଲଭେ ସେ ନିତୀ ପାଉଣା
ଅଭିନେତା ପରି ସ୍ମିତହାସ୍ଯ ଟିକେ
ଯଦି କେବେ ପାରେ ହସି
ଭାଷଂତି ସଭିଏ କର୍ମକୋଢ଼ୀ ନର
ଭୁଂଜେ ଅକାରଣେ ବସି
ନାନା କଟୁବାକ୍ଯ ସଦା ଶୁଣି
ଶୋଇଗଲା ଆଜି ଚୀରଦିନ ପାଇଁ
ଆଉକେବେ ଫେରିବନି।୪
ମାଟିକାନ୍ଥେ ମୂଖ୍ଯକେନ୍ଦ୍ରେ ଆଚ୍ଛାଦିତ
ଉତ୍କଳ ଜନନୀ ଚିତ୍ର
କେତେ ଦିବଗଂତ ସାହିତ୍ଯ ସାଧକ
ଛବିକୁ କରି ଏକତ୍ର
ପୂଜା କରେ କବି ଆଖି ଖୋଲିଗଲେ
ପ୍ରଣମଇ ଯୋଡ଼ିକର
ଲୋଡାକଣ ଏବେ ଏହିସବୁ ଦ୍ରବ୍ଯ
କାହାର ହେବ ଉଦ୍ଧାର
କବି ଚିତାନଳେ ଦିଅ ଭସ୍ମି
କବିର ପ୍ରତିଭା ଝଲସି ଲୋଟିବ
ପ୍ରଜ୍ବଳିତ କରି ରଶ୍ମି। ୫