ଝରିଗାଁ—– ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସକୁ ଏକ ବଡ଼ ସଫଳତା ମିଳିଛି।୨୪ ଘଣ୍ଟା ମଧ୍ୟରେ ୫ଜଣ ଲୁହା ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି।ସୂଚନା ପ୍ରକାରେ ଝରିଗାଁ ବ୍ଲକ ସଦର ମହକୁମା ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ହୁଣ୍ଡାରଧୁଡ଼କି ନାଳରେ ପ୍ରଶାସନ ପକ୍ଷରୁ କିଛି ବର୍ଷ ତଳେ ଆଡ଼ିବନ୍ଧ ନିର୍ମାଣ ହୋଇଥିଲା।ତେବେ ଏହି ଆଡ଼ିବନ୍ଧ ଏକ ନିଛାଟିଆ ସ୍ଥାନରେ ଥିବା ବେଳେ ଏହାର ସୁଯୋଗ ନେଇ କିଛି ଚୋର ଗତ ଶନିବାର ଦିନ ରାତ୍ର ଆଡ଼ିବନ୍ଧରେ ଲାଗିଥିବା ଚାବିର ଉପରେ ଭାଗରେ ଥିବା ଲୁହାକୁ ଚୋରିକରି ନେଇଯାଇଥିଲେ।ରବିବାର ଦିନ ସକାଳୁ ହୁଣ୍ଡାରଧୁଡ଼କି ଗ୍ରାମର ଲୋକ ଲୁହା ଚୋରି ହୋଇଥିବା ଜାଣିବା ପରେ ଗ୍ରାମର ମୁଖ୍ୟ ଜୟନାଥ ଜାନି ଝରିଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ପାଇଁ ଝରିଗାଁ ଥାନା ଅଧିକାରୀ ତପନ କୁମାର ପତିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।ଚୋରି ହୋଇଥିବା ଲୁହାକୁ ହୁଣ୍ଡାରଧୁଡ଼କି ଆଡ଼ିବନ୍ଧ ଠାରୁ ପ୍ରାୟ ଅଧା କିଲୋମିଟର ଦୂରରେ ଥିବା ଏକ ବର ଗଛ ମୂଳେ ଚୋର ମାନେ ଲୁଚାଇ ଚାଲିଯାଇଥିଲେ।ତେବେ ଗତ କାଲି ଚୋରି ହୋଇଥିବା ଲୁହା ନିକଟକୁ ଚୋର ମାନେ ଯାଇଥିବା ବେଳେ ହୁଣ୍ଡାରଧୁଡ଼କି ଗ୍ରାମର କିଛି ଲୋକ ଦେଖିଥିଲେ।ହୁଣ୍ଡାରଧୁଡ଼କି ଗ୍ରାମବାସୀଙ୍କୁ ଦେଖି ଚୋର ମାନେ ଚମ୍ପଟ ମାରିଥିଲେ।ଗ୍ରାମବାସୀ ଚୋରି ହୋଇଥିବା ଲୁହାକୁ ଦେଖିବା ସହ କିଛି ଚୋର ମାନଙ୍କୁ ଚିହ୍ନଟ ମଧ୍ୟ କରିଥିବା ଥାନା ଅଧିକାରୀ କହିଥିଲେ।ପରେ ଗତ କାଲି ରାତିରେ ଥାନା ଅଧିକାରୀ ଶ୍ରୀ ପତିଙ୍କ ନେତୃତ୍ୱରେ ତହରାକାରିଆ ଗ୍ରାମର ୫ଜଣ ଲୁହା ଚୋର ଘନ ଗୌଡ଼ (୨୮),ପିତମ ଗୌଡ଼(୨୫),ଗୋବିନ୍ଦ ମାଝୀ(୩୧),ମୋହନ ଗୌଡ଼(୩୩) ଏବଂ ହରିରାମ ମାଝୀ(୨୦)ଙ୍କୁ ଘରୁ ଗିରଫ କରି ଝରିଗାଁ ଥାନାକୁ ଆଣିଥିଲେ।ଆଜି ୫ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ